ବରଗଡ଼: ଲେଙ୍ଗୁ ମିଶ୍ର ଛକରୁ ଜୀରା ନଦୀ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏବେ ଦାବି ଜନଆନ୍ଦୋଳନର ରୂପ ନେଇଛି। ବୁଧବାର ସମଲେଶ୍ୱରୀ ସଂଘ ତରଫରୁ ଆହୂତ ରାଲି ଓ ବିକ୍ଷୋଭରେ ବିଭିନ୍ନ ସଂଗଠନ ତଥା ଅନୁଷ୍ଠାନ ସମର୍ଥନ ଜଣାଇଥିଲେ। ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ସଂପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ କବ୍ଜାରେ। ୧୯୭୦ ମସିହାରେ ପ୍ରସ୍ତୁତ ହୋଇଥିବା ନକ୍ସା ଅନୁସାେର ଏହି ରାସ୍ତା ଅତିକମ୍ରେ ୬୬ ଫୁଟ୍ ଏବଂ ଅତିବେଶୀରେ ୭୦ ଫୁଟ୍ ପର୍ଯ୍ୟନ୍ତ ଚଉଡ଼ା ଥିଲା। କିନ୍ତୁ ବର୍ତମାନ ଏହି ରାସ୍ତା ସଂପୂର୍ଣ୍ଣ ସଂକୁରିଆ ହୋଇ ରହିଛି। ଅତିବେଶୀରେ କିଛି ସ୍ଥାନରେ ଏହାର ଚଉଡ଼ା ମାତ୍ର ୨୨-୨୫ ଫୁଟ୍ରେ ସୀମିତ ରହିଛି। ଆଗକୁ ଜୀରାର ନୂତନ ବ୍ରିିଜ୍ ଦେଇ ଗାଡ଼ି ଚଳାଚଳ ହେଲେ ଏହି ରାସ୍ତାରେ ଆହୁରି ଟ୍ରାଫିକ୍ ସମସ୍ୟା ହେବା ନିଶ୍ଚିତ।
ପୂର୍ବରୁ ପ୍ରଶସ୍ତ ଥିବା ଏହି ରାସ୍ତା ମୁମ୍ବାଇ-କୋଲକାତା ୬ ନମ୍ବର ଜାତୀୟ ରାଜପଥରେ ସାମିଲ ଥିଲା। କିନ୍ତୁ ପରେ ବାଇପାସ୍ ତିଆରି ହେବା ପରେ ଗାଡ଼ି ଚଳାଚଳ ସେହି ଦିଗରେ ବଢ଼ିଲା। ଏହାର ସୁଯୋଗ ନେଇ ଲେଙ୍ଗୁ ମିଶ୍ର ଛକରୁ ଜୀରା ନଦୀ ପର୍ଯ୍ୟନ୍ତ ରାସ୍ତାରେ ମନମୁଖୀ ଜବରଦଖଲ ବଢ଼ିଛି। ଫଳରେ ଏହି ରାସ୍ତା ଏବେ ଗୋଟିଏ ଗାଁର ରାସ୍ତାଠାରୁ ବି କମ୍ ଓସାର ବିଶିଷ୍ଟ ହୋଇଛି। ବାରମ୍ବାର ଦାବି ପରେ ବି ଉଚ୍ଛେଦ ନ ହେବାରୁ ଶେଷରେ ସମଲେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିଥିଲା। ସେଠାରେ ଶୀଘ୍ର ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଥିଲା। ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ, ସଂପାଦକ ଉତ୍ତର ସାହୁ, ପୂର୍ବତନ ସଂପାଦକ ହରିହର ସାହୁ , ଆଇନଜୀବୀ ଲିପ୍ସିତ ମିଶ୍ର, ପ୍ରୀତମ ସିଂ, ଅବନୀକାନ୍ତ ପଣ୍ଡା, ଆମ ଆଦମୀ ପାର୍ଟିର ଅମିତାବ ପାତ୍ର, ମିରିୟମ ବାର୍ଲା, ଯାଦବ ସମାଜ, ହାଟପଦା ଦୁର୍ଗା ମନ୍ଦିର କମିଟି, ଶ୍ୟାମା କାଳୀ ମନ୍ଦିର କମିଟି, ଭିଏସ୍ଏସ୍ କ୍ଲବ, ରାମଜୀ ମନ୍ଦିର ସାଂସ୍କୃତିକ ଅନୁଷ୍ଠାନ, ବରଗଡ଼ ମହିଳା ସମିତି, ସାମ୍ବାଦିକ ସଂଘ, ଅଟୋ ଚାଳକ ସଂଘ, ଅଭିଭାବକ ସଂଘ, ପ୍ରଗତି କ୍ଲବ, ବରଗଡ଼ ବିକାଶ ମଂଚ, ରେଳ ଉପଭୋକ୍ତା ସଂଘର ପ୍ରତିନିଧି ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/4-17.jpg)