ଧର୍ମଶାଳା: ଧର୍ମଶାଳା ବ୍ଲକ୍ ନେଉଳପୁର ଗ୍ରାମର କମରୁନ୍ ବିବିଙ୍କ ଦିବ୍ୟାଙ୍ଗ ପରିବାରକୁ ଆବାସ ମିଳୁନି। ବିଭିନ୍ନ ସମୟରେ ପରିବାର ପକ୍ଷରୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କା ଘରଟିଏ ପାଇବା ପାଇଁ ଗୁହାରି କରୁଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝୁନାହାନ୍ତି। କମରୁନ୍‌ଙ୍କ ଦିବ୍ୟାଙ୍ଗ ପୁଅ ଓ ୨ ଝିଅ ଆଜି ଧର୍ମଶାଳା ବିଡିଓଙ୍କୁ ଭେଟକରି ଆବାସଟିଏ ପାଇବା ପାଇଁ ନିବେଦନ କରିଛନ୍ତି। ପ୍ରକାଶ ଯେ, ନେଉଳପୁର ଗ୍ରାମର କମରୁନ୍ ବିବିଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଜନ୍ମରୁ ଦିବ୍ୟାଙ୍ଗ। ଏମାନେ ପର ଘରେ କାମ କରି ଜୀବିକା ପ୍ରତିପୋଷଣ କରୁଛନ୍ତି।

Advertisment

ଝାଟିମାଟି ଘରେ ରହୁଥିବା ଏହି ପରିବାରକୁ ଏକ ଆବାସ ଦେବା ଲାଗି କମରୁନ୍‌ଙ୍କ ବଡ଼ଝିଅ ତମନ୍ନା ପରବିନ ନେଉଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସେମାନଙ୍କୁ ଆବାସ ମିଳିବ ବୋଲି ପୂର୍ବ ସରପଞ୍ଚ ଓ ସମିତିସଭ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ମଧ୍ୟରେ ୫ବର୍ଷ ବିତି ଯାଇଥିଲେ ମଧ୍ୟ ତମନ୍ନାଙ୍କୁ ଆବାସଟିଏ ମିଳିଲା ନାହିଁ। ଆବାସ ପାଇବା ପାଇଁ ଉକ୍ତ ପରିବାରର ସମସ୍ତ ଯୋଗ୍ୟତା ରହିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। କେତେକ ଅଯୋଗ୍ୟ ବ୍ୟକ୍ତି ଆବାସ ହାତେଇ ନେଇଥିବା ବେଳେ ପ୍ରକୃତ ଯୋଗ୍ୟ ଲୋକ ଏଥିରୁ ବାଦ୍‌ ପଡ଼ୁଛି। ଲାଞ୍ଚ ଓ ଶାସକ ଦଳର ସମର୍ଥନ ନଥିଲେ ଆବାସ ମିଳୁନଥିବା ଗୁରୁତର ଅଭିଯୋଗ ହୋଇଛି। ତେବେ ଆଜି ତମନ୍ନା ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଧର୍ମଶାଳା ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କୁ ଭେଟି ପକ୍କା ଘରଟିଏ ପାଇଁ ଗୁହାରି କରିଥିଲେ। ତଦନ୍ତ କରାଯାଇ ୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଛନ୍ତି।