ରାଉରକେଲା: ନିଷିଦ୍ଧ ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବହାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରିମାନା ଆଦାୟ ହେବ। ଏଣୁ ସହରବାସୀ ନିୟମର ଅନୁପାଳନ କରିବା ବାଧ୍ୟତାମୂଳକ। ଏଭଳି ଭାବରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କର୍ତ୍ତୃପକ୍ଷ ଘୋଷଣା କରିଥିଲେ। କିନ୍ତୁ ଖୋଦ୍‌ ପ୍ରଶାସନର ଚିରାଚରିତ ଅବହେଳା ଯୋଗୁଁ ସବୁ ନିୟମ ଚୂଳିକୁ ଗଲାଣି। ସହରର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ଦୋକାନ ବଜାରଠାରୁ ଆରମ୍ଭକରି ସପିଂ ମଲ୍‌ ପର୍ଯ୍ୟନ୍ତ; ପ୍ରାୟ ସବୁ ସ୍ଥାନରେ ନିଷିଦ୍ଧ ପଲିଥିନର ଖୋଲା ବିକ୍ରି ହେଉଛି।  ‘ପ୍ଲାଷ୍ଟିକ୍‌ମୁକ୍ତ ଇସ୍ପାତ ସହର’ ଯେ ଏବେ ପ୍ରହସନରେ ପରିଣତ ହେଲାଣି, ତାହା ସମସ୍ତେ ଅନୁଭବ ବି କରିସାରିଲେଣି।

ଆର୍‌ଏମ୍‌ସି ଉଦାସୀନତା ମୁଖ୍ୟ କାରଣ

ଯାଞ୍ଚ ନାହିଁ, ଦୋକାନି ବେଲଗାମ୍‌

Advertisment
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ବର୍ଜ୍ୟ ପ୍ଲାଷ୍ଟିକ ପରିଚାଳନା ନିୟମ-୨୦୧୬ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୮ ଅକ୍ଟୋବର ୨ ତାରିଖରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ପଲିଥିନର ବ୍ୟବହାର, ବିକ୍ରି, ଆମଦାନୀ, ଉତ୍ପାଦନ, ଯୋଗାଣ, ଗଚ୍ଛିତ ରଖିବା ଆଦି ଉପରେ ଅଙ୍କୁଶ ଲଗାଯାଇଥିଲା। ଆର୍‌ଏମ୍‌ସି କର୍ତ୍ତୃପକ୍ଷ କେବଳ ନିୟମ ତିଆରି ଚୁପ୍‌ ବସିବାରୁ ପରବର୍ତ୍ତୀ ସମୟରେ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ପରେ ୨୦୧୯ ଅଗଷ୍ଟ ୮ ତାରିଖରେ ଆର୍‌ଏମ୍‌ସି ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରିଥିଲା। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲେ। ନିୟମ ଲାଗୁ ହେବାର କିଛି ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବାସହ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗ ପୁଣି ହାତବାନ୍ଧି ବସିବାରୁ ସ୍ଥିତିରେ ପରିବର୍ତ୍ତନ ଆସିନଥିଲା। ଇତିମଧ୍ୟରେ ଏକାଧିକବାର ଆର୍‌ଏମ୍‌ସି ପକ୍ଷରୁ ନିୟମ କରାଯାଇଛି ସତ; କିନ୍ତୁ ନିୟମିତ ଯାଞ୍ଚ, ଚଢ଼ଉ କରାଯାଉନଥିବାରୁ ଅବାଧ ବିକ୍ରି ବମିଛି ସିନା, କମିବାର ନାଁ ନେଉନି।