ନବଜାତକୁ ଡାକ୍ତରଖାନା ନେବାରୁ ଗାଁରୁ ବାସନ୍ଦ ହେଲେ ପରିବାର

କେନ୍ଦୁଝର: ଡାକ୍ତରଖାନା ଯିବାରୁ ଗାଁରୁ ବାସନ୍ଦ ହେଲେ ପରିବାର। ନବଜାତ ଶିଶୁ ସହ ମା’କୁ ଚିକିତ୍ସାଳୟରେ ଭର୍ତ୍ତି କରିବାରୁ ଗାଁରୁ ସାମାଜିକ ବାସନ୍ଦ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ଯୁଗଳକିଶୋରପୁର ଗ୍ରାମର ଗୁନାରାମ ମୁର୍ମୁଙ୍କ ପତ୍ନୀ ସୁଗି ମୁର୍ମୁ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ୨୯ ତାରିଖ ରାତି ପ୍ରାୟ ୧୦ଟାବେଳେ ତାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଗାଁରେ ପହଞ୍ଚିବାବେଳକୁ ସୁଗି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇସାରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ମା’ ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ।

ଗତକାଲି ଉଭୟ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ମା’ ଓ ଶିଶୁ ଘରେ ପହଞ୍ଚିବା ପରେ ଗ୍ରାମରେ ସଭା ବସିଥିଲା । ଘରେ ଜନ୍ମ ହୋଇଥିବା ଛୁଆ ଡାକ୍ତରଖାନା ଯିବାଦ୍ବାରା ଗାଁ ଅପବିତ୍ର ହୋଇଛି । ପୂଜାପାଠ କରିବାପାଇଁ ଗୁନାରାମଙ୍କୁ ତିନିଟି କୁକୁଡ଼ା, ସମସ୍ତ ପୂଜାସାମଗ୍ରୀ ଓ ହାଣ୍ଡିଆ ଦେବାକୁ ଗ୍ରାମ ମୁଖିଆ ଶ୍ୟାମ ଟୁଡ଼ୁ ଗୁନାରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ଅନ୍ଧବିଶ୍ବାସ ହୋଇଥିବାରୁ ଗୁନାରାମ କୁକୁଡ଼ା, ହାଣ୍ଡିଆ ଓ ପୂଜା ସାମଗ୍ରୀ ଦେବାକୁ ମନା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସଭାରେ ବସିଥିବା ଲୋକେ ତାଙ୍କୁ ଗ୍ରାମର ସମସ୍ତ ସାମାଜିକ କାର୍ଯ୍ୟକ୍ରମରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୁନାରାମଙ୍କୁ ସାମାଜିକ ବାସନ୍ଦ କରାଯିବା ପରେ ‌ସେ ସୋମବାର ସନ୍ଧ୍ୟାରେ ଘସିପୁରା ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଛନ୍ତି । ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର