ଜୟପୁର: ଜୟପୁର ଉପଖଣ୍ଡର କୁସୁମି ମଣ୍ଡିର ଚାଷୀଙ୍କୁ ମିଲର୍ସ ମାନେ ଦାଉ ସାଧୁଥିବା ଅଭିଯୋଗ କରିଛନ୍ତି। କୁଇଣ୍ଟାଲ ପିଛା ୧୦କିଲୋ ନ ଦେଲେ କ୍ରୟକାରୀସଂସ୍ଥା ମାଧ୍ୟମରେ ଧାନ ଉଠାଉଥିବା ମିଲର୍ସ ମାନେ ଧାନ ଉଠାଇବେ ନାହିଁ ବୋଲି ଚେତାବନୀ ଦେଇଥିବା ଚାଷୀମାନେ କହିଛନ୍ତି । ଆଜି ଏପରି ଦାବି କରି ମିଲର୍ସ ମାନେ ମଣ୍ଡିକୁ ଆସି ନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଚା‌ଷୀବୃନ୍ଦ। ଏପର୍ଯ୍ୟନ୍ତ କୁସୁମି ମଣ୍ଡିରୁ ମାତ୍ର ୩ହଜାର କୁଇଣ୍ଟାଲ ଧାନ କିଣାଯାଇଥିବା ଚାଷୀ ମାନେ କହିଛନ୍ତି। ଜିଲ୍ଲାପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମରେ ମିଲର୍ସ ମାନେ ସହଯୋଗ କରୁଥିବାରୁ ସେମାନେ କଟନିଛଟନି କରିବାକୁ ବାଧ୍ୟ ବୋଲି ମିଲର୍ସ ମାନେ କହିଥିବା ଚାଷୀ କହିଛନ୍ତି। ଏହି ସ୍ଥିତିରେ ଆଜି ଏହି ମଣ୍ଡିରୁ ମଂଜିଏ ଧାନ ଉଠି ପାରିନି। ଏଭଳି  ଅଭିଯୋଗରେ ସତ୍ୟତା ନଥିବା କୋରାପୁଟଜିଲ୍ଳା ମିଲର୍ସ ଆସୋସିଏସନ୍ ସଭାପତି ପୂର୍ଣ୍ଣ ପଟ୍ଟନାୟକ   ଓ ସଂପାଦକ ଜଗଦୀଶ ପାଣିଗ୍ରାହୀ କହିଛନ୍ତି। ଧାନରେ ଅଧିକା ଆଦ୍ରତା ରହିଥିଲେ ଏହାକୁ ସୁଖାଇ ପୁଣି ଧାନ ମିଲିଂ କରିବା ସମୟରେ ଭାଙ୍ଗି ଯିବା ସହ ବେରଂଗୀ ଚାଉଲ ବାହାରୁଛି ବୋଲି କହିଛନ୍ତି। ଚାଷୀ ଧାନ ଅମଳ କରି ଖରାରେ ନ ସୁଖାଇ ସେଭଳି ବସ୍ତାରେ ଭରି ମଣ୍ଡିକୁ ଆଣିବାରୁ ଏଭଳି ସମସ୍ୟା ଦେଖାଦେଉଛି ବୋଲି କ୍ରୟକାରୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

Advertisment

ସେଭଳି ମଣ୍ଡି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୮ଟି ଲ୍ୟାମ୍ପସ୍, ୨୦ଟି ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତରୁ ୩ଲକ୍ଷ ୭୫ହଜାର ୯୪୪.୬୬କୁଇଣ୍ଟାଲ ଧାନ କିଣାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ସୁତ୍ରରୁ ସୂଚନା ମିଳିଛି। ସଂପ୍ରତି ବିଭିନ୍ନ ମଣ୍ଡିରେ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ  ଆଉ ବଳକା ୧୧ଦିନ ମଧ୍ୟରେ ୯ଲକ୍ଷ କୁଇଣ୍ଟାଲ ଧାନ ପ୍ରଶାସନ କିଣି ପାରିବ କି  ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।