ପୁରୀ/ନୟାଗଡ଼/ ଖୋର୍ଦ୍ଧା : ଚାଷବାସର ସମୟ ଗଡ଼ିଲାଣି, ତଥାପି ବର୍ଷାର ଦେଖାନାହିଁ। ଧାରା ଶ୍ରାବଣରେ ବି ମୁଣ୍ଡଫଟା ଖରା କାରଣରୁ ଚାଷ ଜମି ଫାଟି ଆଁ କଲାଣି। ରୋଇବା ପାଇଁ ଚାଷୀ ଯେଉଁ ତଳି ପକାଇଥିଲା, ପାଣି ନ ପାଇ ଆଉ ବଢ଼ୁନି, ହଳଦିଆ ପଡ଼ିଗଲାଣି। ରୁଆ କି ବେଉଷଣ କାମ ଆରମ୍ଭ ହୋଇପାରିନି। ଅବିଭକ୍ତ ପୁରୀ ଜିଲ୍ଲା ଅର୍ଥାତ୍‌ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ବର୍ଷା ଅଭାବରୁ ଚାଷବାସ କାମ ଆଗେଇ ପାରୁନାହିଁ। ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସେପଟେ କୃଷି ବିଭାଗ ବି ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାପ୍ରକଟ କରିଛି।

Advertisment

ପାଣିପାଗ ବିଭାଗ ତଥ୍ୟ ମୁତାବକ, ଗତ ଏପ୍ରିଲ ମାସରୁ ଜୁଲାଇ ୧୦ ତାରିଖ ସୁଦ୍ଧା ମାତ୍ର ୧୫ ଦିନ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ଏପ୍ରିଲ ମାସରେ ଗୋଟିଏ ଦିନ ବର୍ଷା ହୋଇଛି। ମେ' ମାସରେ ୩ ଦିନ, ଜୁନ୍‌ରେ ୭ ଦିନ ଓ ଜୁଲାଇ(୧୦ ତାରିଖ ସୁଦ୍ଧା)ରେ ୪ ଦିନ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ଜୁଲାଇ ମାସ ସୁଦ୍ଧା ସାଧାରଣତଃ ୫୬୦.୬ ମିମି ବର୍ଷା ହୋଇଥାଏ। ମାତ୍ର ଏବେ ସୁଦ୍ଧା ଜିଲ୍ଲାରେ ୧୫୮.୫୬ ମିମି ବର୍ଷା ହୋଇଛି। କେବ​ଳ ଜୁଲାଇ ମାସରେ ଜିଲ୍ଲାରେ ୨୯୨ ମିମି ବର୍ଷା ହୋଇଥାଏ। ଜିଲ୍ଲା ମୁଖ୍ୟ କୃଷି ବିଭାଗ ତଥ୍ୟ ମୁତାବକ, ପୁରୀ ଜିଲ୍ଲାରେ ୧ଲକ୍ଷ ୫୧ହଜାର ୨୯୦ ହେକ୍ଟର ଚାଷ ଜମିରୁ ୧ଲକ୍ଷ ୩୦ହଜାର ୫୦ ହେକ୍ଟରରେ ଧାନଚାଷ ହେଉଛି। ବାକି ଜମିରେ ପନିପରିବା ଓ ଅନ୍ୟାନ୍ୟ ଚାଷବାସ କରାଯାଉଛି। କିନ୍ତୁ ବର୍ଷା ନ ଥିବାରୁ କେଉଁଠି ବି ଚାଷବାସ ଆଗେଇ ପାରିନି।

publive-image Xinhua

ସେହିପରି ନୟାଗଡ଼ ଜିଲ୍ଲାରେ ଏପ୍ରିଲ୍‌ରୁ ଜୁଲାଇ ମାସ ମଧ୍ୟରେ ୬୫୨.୪ ମିମି ବର୍ଷା ହୋଇଥାଏ। ଚଳିତ ବର୍ଷ ଜୁଲାଇ ୧୦ ତାରିଖ ସୁଦ୍ଧା ମାତ୍ର ୨୫୨.୩୯ ମିମି ବର୍ଷା ହୋଇଛି। ଏପ୍ରିଲ୍‌ ମାସରେ ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିଲ୍ଲାରେ ସାମାନ୍ୟ ବର୍ଷାଠାରୁ ଅଧିକ ବର୍ଷା ହୋଇଛି। ଏହି ସମୟରେ ଜିଲ୍ଲାରେ ୮୧.୪୫ ମିମି ବର୍ଷା ହୋଇଛି। ମେ' ମାସରେ ୩୨.୧୯ ମିମି, ଜୁନ୍‌ ମାସରେ ୧୨୩.୫୦ ମିମି, ଜୁଲାଇ ମାସରେ ୧୬.୨୦ ମିମି( ୧୦ତାରିଖ ସୁଦ୍ଧା) ମିମି ବର୍ଷା ହୋଇଛି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ପ୍ରାୟ ୧ଲକ୍ଷ ୧ହଜାରରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖ‌ାଯାଇଛି। ଏଥିରୁ ୬୦ ପ୍ରତିଶତ ଜମି‌ରେ ଧାନ ବୁଣା ଯାଉଥିବା ବେ‌ଳେ, ୪୦ ପ୍ରତିଶତ ଜମିରେ ଧାନ ରୁଆ ଯାଇଥାଏ। ଏବେ ସୁଦ୍ଧା ୬୦ ପ୍ରତିଶତ ଜମିରେ ଧାନ ବୁଣାଯାଇଛି। ହେଲେ ନିଅଣ୍ଟିଆ ବର୍ଷା ଯୋଗୁ ବୁଣାଯାଇଥିବା ଧାନ ଗଛ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରୁଆ ହେବାକୁ ଥିବା ୪୦ ପ୍ରତିଶତ ଜମିରୁ ମାତ୍ର ୧୦ ପ୍ରତିଶତ ଜମି ନିମନ୍ତେ ଚାଷୀ ତଳି ପକାଇଛି। ବର୍ଷା ଅଭାବ ପାଇଁ ଆବଶ୍ୟକ ତଳି ମଧ୍ୟ ପ୍ରସ୍ତୁତ ହୋଇପାରିନାହିଁ। ଫଳରେ ଚାଷୀ ଏକରମକ ଚିନ୍ତ‌ାରେ ପଡ଼ିଯାଇଛି।

ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଆହୁରି ସଙ୍ଗିନ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ୍ ମାସରେ ୧୧, ୧୯, ୨୩, ୨୪, ୨୫ ଓ ୨୭ ତାରିଖରେ ବର୍ଷା ହୋଇଥିଲା। ଜୁନ୍‌ ମାସରେ ସ୍ବାଭାବିକ ଭାବେ ୧୯୬.୨ ମିମି ବର୍ଷା ହୋଇଥାଏ, କିନ୍ତୁ ଚଳିତ ମାସରେ ୧୨୬.୫୬ ମିମି ବର୍ଷା ହୋଇଛି। ଜୁଲାଇ ମାସ ୧୦ ତାରିଖ ସୁଦ୍ଧା ମାତ୍ର ୪୨ ମିମି ବର୍ଷା ହୋଇଛି। ଏହା ଦ୍ବାରା ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ୧ଲକ୍ଷ ୯ହଜାର ହେକ୍ଟର ଖରିଫ ଚାଷ ଜମିରୁ ଜୁନ୍‌ ମାସରେ ୧୦ହଜାର ହେକ୍ଟର ଧାନ ବୁଣାଯାଇଥିଲା। ଜୁନ ମାସର ବର୍ଷାର ଅଭାବ ଜୁଲାଇରେ ଭରଣା ହେବ ବୋଲି ଚାଷୀ ଆଶାବାନ୍ଧି ବସିଥିଲା। ବର୍ତ୍ତମାନ ଜୁଲାଇ ମାସର ପ୍ରଥମ ସପ୍ତାହର ସ୍ବଳ୍ପ ବୃଷ୍ଟିଯୋଗୁ ଚାଷୀର ଆଶା ମଉଳି ଯାଇଛି। କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ୮୫ରୁ ୯୦ ପ୍ରତିଶତ ଚାଷ ଜମିରେ ଚାଷ କାମ ଆରମ୍ଭ ହୋଇନାହିଁ। ଯଦି ଆଗାମୀ ୧୫ ତାରିଖ ସୁଦ୍ଧା ବର୍ଷା ନହୁଏ ତେବେ ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ।