ନାବାଳିକା ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ବଣାଇଗଡ଼: ବଣାଇ ଉପଖଣ୍ତ ଲହୁଣିପଡ଼ା ଥାନା ଅନ୍ତର୍ଗତ ସାଧୁବାହାଲ ଗ୍ରାମରେ ଜଣେ ବାପା ନିଜର ନାବାଳିକା ଝିଅକୁ ଦୁଷ୍କର୍ମ କରି ପୁଲିସ ଦ୍ବାରା ଗିରଫ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ଥାନାର ଭାଲିଆଗୋରା ଗାଁର ସୁଶାନ୍ତ ବେହେରା ପେଶାରେ ଟ୍ରକ ଚାଳକ। ସେ ଅନେକ ବର୍ଷ ଧରି ବଣାଇ ଓ କୋଇଡା ଅଞ୍ଚଳର ବିଭିନ୍ନ ଖଣିରୁ ଲୁହାପଥର ବୋହୁଥିବା ଟ୍ରକ୍‌ର ଚାଳକ ଭାବେ କାମ କରି ଆସୁଥିଲା। ଏହାରି ମଧ୍ୟରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ସାଧୁବାହାଲର ଅଞ୍ଜଳି ନାମକ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ କୋର୍ଟରେ ବିବାହ କରିଥିଲା। ସୁଶାନ୍ତ ଓ ଅଞ୍ଜଳିଙ୍କର ଏବେ ୧୭ ବର୍ଷ ବୟସର ଏକ ନାବାଳିକା ଝିଅ ଅଛି।

ଏହା ପୂର୍ବରୁ ଅଭିଯୁକ୍ତ ସୁଶାନ୍ତ ପତ୍ନୀକୁ ସର୍ବଦା ମାଡ଼ପିଟ କରି ଆସୁଥିବାବେଳେ ସୁଯୋଗ ପାଇଲେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ମଧ୍ୟ କରୁଥିଲା। ପତ୍ନୀ ଅଞ୍ଜଳି ଏହା ଜାଣିବା ପରେ ସ୍ବାମୀକୁ ତାଗିଦ କରିବାରୁ ସେ କ୍ଷମା ମାଗି ଘଟଣାକୁ ଚାପି ଦେଇ ଆସୁଥିଲା। ତେବେ ଗତ ୫ ତାରିଖ ଦିନ ପତ୍ନୀଙ୍କର ମୃତ୍ୟୁ ହେବା ପରେ ଘରେ ନାବାଳିକା ଝିଅଟି ନିଜ ପିଶାଚ ବାପା ସହିତ ରହୁଥିଲା। ଏହାର ସୁଯୋଗ ନେଇ ସୁଶାନ୍ତ ପୁଣି ଝିଅକୁ ଦୁଷ୍କର୍ମ କରିଥିଲା। ଏଥିରେ ନାବାଳିକା ଜଣକ ଅତିଷ୍ଠ ହୋଇ ଗତକାଲି ସନ୍ଧ୍ୟାରେ ନିଜ ମାଉସୀଙ୍କ ସହାୟତାରେ ଲହୁଣିପଡ଼ା ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ସନ୍ତୋଷ ଜେନା ଏହାକୁ ଗୁରୁତ୍ତ୍ବ ଦେଇ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ସୁଶାନ୍ତକୁ ସୁନ୍ଦରଗଡ଼ ପୋସ୍କୋ କୋର୍ଟକୁ ଚାଲାଣ କରା ଯାଇଥିଲା, ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର