ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ସ୍ଥାନୀୟ ବାସିନ୍ଦାଙ୍କ ଆମୋଦପ୍ରମୋଦ ନିମନ୍ତେ ଗ୍ରାମୀଣ ପାର୍କ ନିର୍ମାଣ କରାଗଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ତେବେ ବ୍ୟବହାର ନହୋଇ ପାର୍କଗୁଡ଼ିକ ଜଙ୍ଗଲରେ ପରିଣତ ହୋଇଥିବା ବେଳେ ଅନେକ ପାର୍କ ଏବେ ଅଧପନ୍ତରିଆ ଭାବେ ପଡ଼ିରହିଛି।

Advertisment

ସୂଚନାଯୋଗ୍ୟ, ବ୍ରହ୍ମଗିରି ବ୍ଲକ୍‌ର ୨୫ଟି ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସେଥି ମଧ୍ୟରୁ ୧୫ରୁ ଅଧିକ ପଞ୍ଚାୟତରେ ଏହି ପାର୍କ ସବୁ ନିର୍ମାଣ ହେଲା। ପାର୍କ ପିଛା ୫ ଲକ୍ଷରୁ ୩୫ ଲକ୍ଷ ବ୍ୟୟରେ ମନରେଗା ଯୋଜନାରେ ପାର୍କ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଗଲା। ୧୫ ପଞ୍ଚାୟତ ମଧ୍ୟରୁ ୧୦ରୁ ଅଧିକ ପଞ୍ଚାୟତରେ ପାର୍କ ନିର୍ମାଣ ନେଇ ପ୍ରଶାସନ ପାଖରେ ରିପୋର୍ଟ ପହ‌ଞ୍ଚିଲା।

publive-image

ଏମିତିକି ଅନ୍ୟ ପଞ୍ଚାୟତଗୁଡ଼ିକରେ ପାର୍କ ନିର୍ମାଣ ହୋଇଥିବା କୁହାଗଲା। ତେବେ ନିର୍ମାଣ ଶେଷ ହୋଇଥିବା ପାର୍କରେ ଲାଗିଥିବା ସୋଲାର୍‌ ଲାଇଟ୍‌ କେଉଁଆଡ଼େ ଉଭାନ୍‌ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କଗୁଡ଼ିକ ଜଙ୍ଗଲରେ ପରିଣତ ହୋଇ ସାପ ଓ ଗୋଧିଙ୍କ ଚରାଭୂଇଁ ପାଲଟିଛି। ସେହିଭଳି ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପାର୍କଗୁଡ଼ିକ ବିଦ୍ୟାଳୟ ଛୁଟି ପରେ ବନ୍ଦ ରହିବାରୁ ଘାସବୁଦା ବଢ଼ି ବ୍ୟବହାର ଅନୁପଯୋଗୀ ହୋଇଗଲାଣି। ଅନ୍ୟପଟେ ଆଉ କେତେକ ପାର୍କ ଚାରିପଟେ ପାଚେରି ନିର୍ମାଣ ହୋଇ କାମକୁ ଅଧପନ୍ତରିଆ ଭାବେ ଛାଡ଼ି ଦିଆଯାଇଛି। ତେବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କଗୁଡ଼ିକର ପୁନରୁଦ୍ଧାର ଓ ନିର୍ମାଣାଧୀନ ପାର୍କଗୁଡ଼ିକର କାମ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।