ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡ଼ିଶା ଶାଖାର ଚତୁର୍ଥ ବାର୍ଷିକ ସମ୍ମିଳନୀ, ଯୁବ କବି ଦଶରଥ ହେମ୍ବ୍ରମଙ୍କୁ ଯୁବ ସାନ୍ତାଳୀ ଲେଖକ ସମ୍ମାନ

ବାରିପଦା: ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡ଼ିଶା ଶାଖାର ଚତୁର୍ଥ ବାର୍ଷିକ ସମ୍ମିଳନୀ ଆଜି ସ୍ଥାନୀୟ ସହୀଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ବାରିପଦାର କୁଳପତି ପ୍ରଫେସର କିଶୋର କୁମାର ବସା, ରାଜ୍ୟସଭା ସାଂସଦ ମମତା ମହାନ୍ତ, କେନ୍ଦ୍ର ସାହିତ୍ୟ ଏକାଡେମୀର (ସାନ୍ତାଳୀ) ଆବାହକ ମଦନ ମୋହନ ସୋରେନ, କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ରବିନ୍ଦ୍ରନାଥ ମୁର୍ମୁ, ସର୍ବଭାରତୀୟ ଅସେକା ନୂଆଦିଲ୍ଲୀ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ଅସେକା ରାଇରଙ୍ଗପୁର ସାଧାରଣ ସମ୍ପାଦକ ଜିତେନ୍ଦ୍ର ହାଁସଦା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ସରୋଜ ସୋରେନ କାର୍ୟ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସଂଘର ସମ୍ପାଦକ ଅର୍ଜୁନ ମାର୍ଣ୍ଣି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶେଷ ଭାବରେ ନିର୍ବାଚିତ ପୁସ୍ତକ ଗୁଡିକ ଉନ୍ମୋଚିତ ହୋଇଥିଲା । ମୟୂରଭଞ୍ଜ ଇତିହାସରେ ସାନ୍ତାଳମାନଙ୍କର ଗୁରୁତ୍ବପୂର୍ଣ୍ଣ କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସାନ୍ତାଳୀ ଭାଷାର ସାମଗ୍ରୀକ ବିକାଶ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବା ପାଇଁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଚଳିତ ବର୍ଷ ନିମନ୍ତେ ଯୁବ କବି ଦଶରଥ ହେମ୍ବ୍ରମଙ୍କୁ ଯୁବ ସାନ୍ତାଳୀ ଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ରାମ୍ବାୟ ହେମ୍ବ୍ରମଙ୍କୁ ଶ୍ୟାମ ସୁନ୍ଦର ସମ୍ମାନ, ନରେନ୍ଦ୍ର ହେମ୍ବ୍ରମଙ୍କୁ ତାଙ୍କ ସାନ୍ତାଳୀ ସାହିତ୍ୟ କ୍ଷେତ୍ରରେ ଆଜୀବନ ଅବଦାନ ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ସାହିତ୍ୟ ଏକାଡେମୀ ବାଳ ପୁରସ୍କାର ଦ୍ବାରା ସମ୍ମାନିତ ହେବାକୁଥିବା ବିଶିଷ୍ଟ ସାହିତ୍ୟିକ ଜୟରାମ ଟଡୁଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ବିଭିନ୍ନ ସତ୍ରକୁ ମହେଶ୍ବର ସୋରେନ, ସୁମିତ୍ରା ସୋରେନ, ଗଙ୍ଗାଧର ହାଁସଦା ପ୍ରମୁଖ ଅଧ୍ୟକ୍ଷତା କରିଥିଲେ। ପଶ୍ଚିମବଙ୍ଗ ଶାଖା ସଭାପତି ତୁରିୟା ଚରଣ କିସ୍କୁ, ଝାଡଖଣ୍ଡ ଶାଖା ସଭାପତି ମାନିକ ହାଁସଦା, କାନ୍ଦନ ମାଝୀ, ନାକୁ ହାଁସଦା, ଲକ୍ଷ୍ମଣ ବାସ୍କେ ସାଲିମା ମାର୍ଣ୍ଣି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ମାଳତୀ ମୁର୍ମୁ, ରଘୁନାଥ ହେମ୍ବ୍ରମ ସହାୟତା କରିଥିଲେ। କେନ୍ଦ୍ରୀୟ କମିଟି ସଭାପତି ଲକ୍ଷ୍ମଣ କିସ୍କୁ, ଉପସଭାପତି ପିତାମ୍ବର ହାଁସଦା ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ଗୋପାଲ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।

 

ସମ୍ବନ୍ଧିତ ଖବର