ଧଉଳି: ନୂଆଗାଁ ଛକରେ ଯୁବକଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଦୁର୍ବୃତ୍ତ। ଧଉଳି ଥାନା ଅଧୀନ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କ ସୁନା ଚେନ ଝାମ୍ପି ନେଇ ସୂଚନା ମିଳିଛି। ଲୁଟର ଶିକାର ଯୁବକ ହେଲେ ଲକ୍ଷ୍ମୀ ନାରାୟଣ ମହାପାତ୍ର(୩୮)। ଘଟଣା ପରେ ଏସଂପର୍କରେ ଲକ୍ଷ୍ମୀ ନାରାୟଣ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନଭିନ୍ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇପାରି ନାହିଁ।
ସୂଚନା ମୁତାବକ, ଆଜି ଦିନ ଦ୍ବିପ୍ରହରରେ ସ୍ଥାନୀୟ ନୂଆଗାଁର ବାସିନ୍ଦା ଲକ୍ଷ୍ମୀ ନାରାୟଣ ସାମନ୍ତରାପୁରରୁ କାମସାରି ଘରକୁ ଫେରୁଥିଲେ। ନୂଆଗାଁ ଛକରେ ବାଇକ ବୁଲାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ହଠାତ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ସୁନାଚେନ ଝାମ୍ପି ନେବା ବେଳେ ଲକ୍ଷ୍ମୀ ନାରାୟଣ ଭାରସାମ୍ୟ ହରାଇ ବାଇକରୁ ଛିଟିକିପଡ଼ିଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତ ଦ୍ବୟ ସେଠାରୁ କଳ୍ପନା ଛକ ଆଡ଼କୁ ଖସି ପଳାଇବାରେ ସଫଳ ହୋଇଥିବା ସେ ସୂଚନା ଦେଇଛନ୍ତି। ଲୁଟ ସୁନାଚେନର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଲକ୍ଷ୍ମୀ ନାରାୟଣ ଏତଲାରେ ଦର୍ଶାଇଛନ୍ତି। ଲକ୍ଷ୍ମୀ ନାରାୟଣ ଚୋର ଚୋର ଚିତ୍କାର କରିବାରୁ ସ୍ଥାନୀୟ ଯୁବକ ଲୁଟେରାଙ୍କ ପିଛା କରିଥିଲେ ହେଁ କାବୁ କରିବାରେ ବିଫଳ ହୋଇଥିଲେ। ପରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-90.jpg)