ପଦାରେ ପଡ଼ିଲା ଗଞ୍ଜାମ ଜିଲ୍ଲା କ˚ଗ୍ରେସର ଗୋଷ୍ଠୀ କନ୍ଦଳ: ନଗର ସଭାପତି ଓ ଯୁବ ସଭାପତିଙ୍କ ଇସ୍ତଫା

ବ୍ରହ୍ମପୁର: କ୍ରାନ୍ତି ଦିବସ ଅବସରରେ ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ପଦଯାତ୍ର ଆରମ୍ଭ ହୋଇଥିବାବେଳେ ଗଞ୍ଜାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୃଜୟ କୁମାର ଆଚାର୍ଯ୍ୟ, ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ଯୁବ ସଭାପତି ବିଜୟରାଜ ପାଣିଗ୍ରାହୀ ଓ ପୂର୍ବତନ ଜିଲ୍ଲା ସଂପାଦକ ଅତୁଲ୍ୟ କୁମାର ପାଢ଼ୀ ଦଳରୁ ଇସ୍ତଫା ଦେଇଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କ ଇସ୍ତଫା ସହିତ ଜିଲ୍ଲା କଂଗ୍ରେସର ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି।

କ˚ଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ନାତି ସୃଜୟ ଗତ ଦୁଇବର୍ଷ ଧରି ବ୍ରହ୍ମପୁର ନଗର କ˚ଗ୍ରେସର ସଭାପତି ଭାବେ ଦାୟିତ୍ବ ସ˚ପାଦନ କରିଆସୁଥିଲେ। ସୃଜୟଙ୍କୁ ପିସିସି ପକ୍ଷରୁ ଦାୟିତ୍ବ ମିଳିଥିଲା। ନଗର ସଭାପତି ଭାବେ ଦାୟିତ୍ବ ନେବାପରେ ସୃଜୟ ସହରରେ ଦଳର ସଂଗଠନକୁ ସୁଦୃଢ଼ କରିବାସହ ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ ରହି କାର୍ଯ୍ୟ କରୁଥିଲେ। ତେବେ, ଗତ ୮ମାସ ହେବ ଜିଲ୍ଲା କାର୍ଯ୍ୟାଳୟ ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ନଗର ସଭାପତିଙ୍କୁ କାର୍ଯ୍ୟାଳୟକୁ ମନାକରିବା ସହ ଦଳୀୟ କାର୍ଯ୍ୟକ୍ରମ କରାଇବା ପାଇଁ ଅଙ୍କୁଶ ଲଗାଇଥିଲେ।

ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଏଭଳି ଆଚରଣକୁ ନେଇ ସୃଜୟ ପିସିସିକୁ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ନଗର କମିଟି ଗଠନ କରିବା ନେଇ ସୁଯୋଗ ଦିଆଗଲା ନାହିଁ। ଗତ ପୌର ନିର୍ବାଚନରେ ବି ନଗର ସଭାପତି ଭାବେ ତାଙ୍କ ମତାମତ ନିଆଯାଇନଥିଲା। ଯେଉଁଥିପାଇଁ ସେ ଇସ୍ତଫା ଦେଇଥିବା ସୃଜୟ ନିଜର ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, ‘ଏଭଳି ସ୍ଥିତିରେ ଦଳରେ ରହିବା ଅପେକ୍ଷା ଛାଡ଼ିଦେବା ବରଂ ଭଲ। ଯେଉଁଥିପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି। ’ ବର୍ତ୍ତମାନ ସ୍ଥିତିରେ କୌଣସି ରାଜନୈତିକ ଦଳ ସହ ମିଶିବାର ନାହିଁ ବୋଲି ସେ କହିଛନ୍ତି। ସେହିଭଳି ବହୁଦିନ ଧରି ଯୁବସଭାପତି ଭାବେ କାର୍ଯ୍ୟ କରିଆସୁଥିବା ବିଜୟରାଜ ବି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଶାସକ ଦଳ ବିରୋଧରେ କାର୍ଯ୍ୟ କରିବା ସମୟରେ ପୁଲିସ ଆକ୍ରୋଶର ସମ୍ମୁଖୀନ ହୋଇଛି। ଗତ ଦୁଇଦିନ ପୂର୍ବେ ତାଙ୍କ ଅଗୋଚରରେ ଅନ୍ୟଜଣେ ଯୁବକଙ୍କୁ ସଭାପତି ଦାୟିତ୍ବ ଦିଆଯାଇଥିବାରୁ ବିଜୟରାଜ କ୍ଷୁବ୍ଧ ହୋଇ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର