ଘଟଗାଁ: ବିଜେପି ଘଟଗାଁ ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ପ୍ରବୀଣ କୁମାର ସାହୁ (୨୪)ଙ୍କ ଝୁଲନ୍ତା ମୃତଦେହ ଘଟଗାଁ ବାଇପାସ୍ଠାରୁ ତିନିଶହ ମିଟର ଦୂର ଅଟେଇ ସଂରକ୍ଷିତ ଜଙ୍ଗଲର ପୁରୁଣାପାଣିସ୍ଥିତ ଏକ ନିମଗଛରୁ ଉଦ୍ଧାର ହୋଇଛି। ଘଟଗାଁ ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଅଜୟ କୁମାର ସାହୁଙ୍କ ଏକମାତ୍ର ପୁଅ ପ୍ରବୀଣ ଗତକାଲି ସ୍କୁଟି ନେଇ ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଘରଠାରୁ ଦୁଇ କିଲୋମିଟର ଦୂର ଅଟେଇ ସଂରକ୍ଷିତ ଜଙ୍ଗଲର ଏକ ନିମଗଛ ଝୁଲୁଥିବା ଦେଖିବାକୁ ମିଳିଥିଲା।
ମୃତଦେହ ପାଖରେ ତାଙ୍କ ସ୍କୁଟି ଥିଲା। ପ୍ରବୀଣ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଜେପି ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ଯୁବମୋର୍ଚ୍ଚା ସଭାପତି ସତ୍ୟମ ଦେହୁରୀ, ଉପରଡିହା ସରପଞ୍ଚ ରିମାଲତା ନାଏକ, ସମିତିସଭ୍ୟା ପାର୍ବତୀ ବାର୍ଲା, ବିଜେପି ନେତା ଶରତ ବେଜ, ମକରଧ୍ଵଜ ବେହେରା, ପ୍ରୀତମ ରୋଷନ ମହାପାତ୍ର, ରୁଦ୍ରପ୍ରସାଦ ବେହେରା, ଏସ୍କେ ଜାମୁଲ, ସିଧୁସିଂ ବାର୍ଲାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତଦେହକୁ ତାଙ୍କ ନିଜ ଘର ପାଟଣା ବ୍ଲକ୍ ରାଜନଗର ନିକଟ ମୁରସୁଆଁ ଗ୍ରାମକୁ ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।