ଘର ତାଲା ଭାଙ୍ଗି ଦୁଇ କିଲୋ ଓଜନର ରୂପା ଗଣେଶ ମୂର୍ତ୍ତି ଚୋରି

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର ଜାଗିରି ଗ୍ରାମର ରଶ୍ମିକାନ୍ତ ସାହୁଙ୍କ ଘର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପାଖାପାଖି ୨ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ୪/୫ ଜଣ ଘରେ ପଶି ଏଭଳି କାଣ୍ଡ କରିଥିବା ରଶ୍ମିକାନ୍ତ ଏବଂ ତଦନ୍ତକାରୀ ପୁଲିସ ଅଧିକାରୀ ସନ୍ଦେହ କରୁଥିବା ସୂଚନା ମିଳିଛି। ଲୁଟ ସାମଗ୍ରୀ ଏବଂ ମୂଲ୍ୟବାନ ଜିନିଷପତ୍ର ଭିତରେ ରହିଛି ଦୁଇ କିଲ ଓଜନ ଓ ଏକ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ରୂପା ପ୍ରତିମୂର୍ତ୍ତି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ରଶ୍ମିକାନ୍ତ କହିଛନ୍ତି। ଏହାଛଡ଼ା ଘରେ ୩ଟି ଟ୍ରଙ୍କରେ ଥିବା କଂସା ପିତ୍ତଳ ବାସନ କୁସନ ଏବଂ ପାଟଲୁଗା ଚୋରି ହୋଇଯାଇଛି। ଏସବୁ ଜିନିଷର ମୂଲ୍ୟ ୨୦ ହଜାରରୁ ଅଧିକ ହେବ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ରଶ୍ମିକାନ୍ତ ଏବଂ ତାଙ୍କର ମାଆ ବାସନ୍ତୀ ସାହୁ ଶୋଇଥିବା ଘର କବାଟ ବାହାରପଟୁ ତାଲା ପକାଇ ଦେଇଥିଲେ।

ଏହାପରେ ପାଖରେ ଥିବା ଦୁଇଟି ଘର କବାଟ ତାଲା ଭାଙ୍ଗି ବେଧଡ଼କ ଭାବେ ଲୁଟପାଟ କରିଥିଲେ। ସୋମବାର ସକାଳେ କବାଟ ନ ଖୋଲିବାରୁ ଉଭୟ ରଶ୍ମିକାନ୍ତ ଏବଂ ତାଙ୍କ ମାଆ ଚିତ୍କାର କରି ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ବାହାରକୁ ଆସିବା ପରେ ଘରୁ ଲୁଟ ହୋଇଯାଇଥିବା ଦେଖିଥିଲେ। ଏ ସଂକ୍ରାନ୍ତରେ ରଶ୍ମିକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାଙ୍କ ଟେର ପାଇପାରି ନାହିଁ।

ସମ୍ବନ୍ଧିତ ଖବର