ପତ୍ନୀଙ୍କ ଅନୈତିକ ସଂପର୍କ ନେଇ ଅଭିଯୋଗ ଆଣିଲେ ସ୍ବାମୀ

୨୦ ଦିନର ଝିଅକୁ ବିଷ ଇଞ୍ଜେକ୍‌ସନ ଦେବା ଘଟଣାରେ ଭିନ୍ନମୋଡ଼

ନୀଳଗିରି: ୨୦ ଦିନର ଶିଶୁକନ୍ୟାକୁ ବିଷ ଇଞ୍ଜେକ୍‌ସନ ଦେଇ ବାପାର ହତ୍ୟା ଉଦ୍ୟମ ଘଟଣା ଭିନ୍ନ ମୋଡ଼ ନେଇଛି। ଶିଶୁକନ୍ୟାଟି ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବ‌େଳେ ପତ୍ନୀଙ୍କର ପରପୁରୁଷ ସହ ଅନୈତିକ ସଂପର୍କ ଥିବା ଅଭିଯୋଗ ଆଣିଛନ୍ତି ସ୍ବାମୀ। ଏହାକୁ ଖଣ୍ଡନ କରି ପତ୍ନୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସ୍ବାମୀଙ୍କ ଅଭିଯୋଗ ଡାହା ମିଛ ଦର୍ଶାଇ ଝିଅର ଡିଏନ୍‌ଏ ପରୀକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି।
ବାଲେଶ୍ବର ସହର ମଲ୍ଲିକାଶପୁରର କାର୍ତ୍ତିକ ମହାର୍ଣ୍ଣାଙ୍କ ପୁଅ ଚନ୍ଦନ ନୀଳଗିରି ବ୍ଲକ୍‌ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବର୍ଷକ ତଳେ ବିବାହ କରିଥିଲେ। ଗତ ୯ ତାରିଖରେ ବାଲେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତନ୍ମୟା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେଠାରେ ୭ ଦିନ ରହିବା ପରେ ଝିଅକୁ ନେଇ ବାପ ଘରେ ଥିଲେ ତନ୍ମୟା।

ସେପଟେ ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ଅସୁଖୀ ଥିଲେ ଚନ୍ଦନ। ନବଜାତକର ଏକୋଇଶିଆ ପାଳନ ପାଇଁ ଶ୍ବଶୁର ଘରେ ପ୍ରସ୍ତୁତି ଚାଲିଥିବା ବେଳେ ଗତକାଲି ସକାଳେ ସୁଯୋଗ ଉଣ୍ଡି ଝିଅକୁ ଏକ ବିଷ ଇଞ୍ଜେକସନ୍‌ ଦେଇଥିଲେ। ଫଳରେ ଝିଅଟିକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବା ବେଳେ ଆଜି ତାକୁ କଟକ ବଡ଼ ଡାକ୍ତରଖାନା ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି। ତନ୍ମୟା ଓ ତାଙ୍କ ବାପା ଭାଗିରଥୀ ସିଂହଙ୍କ ଅଭିଯୋଗ କ୍ରମେ ଚନ୍ଦନଙ୍କୁ ନୀଳଗିରି ପୁଲିସ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରହିଛି।

ଅନ୍ୟପଟେ ତନ୍ମୟାଙ୍କ ପରପୁରୁଷ ସହ ଅନୈତିକ ସଂପର୍କ ରହିଛି। ଝିଅଟି ତାଙ୍କର ନୁହେଁ। ତେଣୁ ତାକୁ ସ୍ବାମୀ ଚନ୍ଦନ ମାରିଦେବା ପାଇଁ ଚାହୁଁଥିଲେ ବୋଲି ଏସ୍‌ପି ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାହାର ଉତ୍ତର ରଖିଛନ୍ତି ପତ୍ନୀ ତନ୍ମୟା। ସେ କହିଛନ୍ତି, ଝିଅ ଚନ୍ଦନଙ୍କର। ଯଦି କିଛି ସନ୍ଦେହ ଥାଏ, ତ‌େବେ ଡିଏନ୍‌ଏ ପରୀକ୍ଷା ହେଉ।

ସମ୍ବନ୍ଧିତ ଖବର