ସମ୍ବଲପୁର, (ରତ୍ନାକର ଭୋଇ): ପରାଧୀନ ଭାରତରେ ଇଂରେଜମାନଙ୍କ ବର୍ବର ବ୍ୟବହାର ଯୋଗୁ ଲୋକଙ୍କ ମନରେ ପ୍ରବଳ ଭୟ ରହିଥିଲା। ତଥାପି, ଇଂରେଜମାନଙ୍କୁ ଖାତିର ନକରି ବହୁ ଦେଶପ୍ରେମୀ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଦେଶରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଏମିତି ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ ବୀର ସୁରେନ୍ଦ୍ର ସାଏ। ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଇଂରେଜମାନଙ୍କର ପ୍ରବଳ ଭୟ ରହିଥିଲା। ଜେଲ୍ରୁ ଛାଡ଼ିଦେଲେ ପୁଣି ଇଂରେଜମାନଙ୍କ ବିରୋଧରେ ବଡ଼ ଆନ୍ଦୋଳନ କରିବା ଆଶଙ୍କା କରିଥିଲେ। ଆଉ କାରାଦଣ୍ଡ ସରିବା ପରେ ବି ବୀର ସୁରେନ୍ଦ୍ର ସାଏଙ୍କୁ ତାଙ୍କୁ କାରାମୁକ୍ତ କରିନଥିଲେ। ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ସୁପୁତ୍ର ସୁରେନ୍ଦ୍ର ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ। ତାଙ୍କ ‘ଗରିଲା ରଣନୀତି ଆଗରେ ଇଂରେଜମାନଙ୍କ ତାଲିମପ୍ରାପ୍ତ ସୈନ୍ୟସାମନ୍ତ ଫେଲ୍ ମାରିଥିଲେ।
ସମ୍ୱଲପୁରକୁ ଇଂରେଜମାନେ ପଶିବା ପଛରେ ମରହଟ୍ଟା ଆକ୍ରମଣ ଏକ ଘଟଣା ବୋଲି ବିବେଚନା କରାଯାଏ। ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ୱଲପୁର ଏକ ପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। କେହି ଉତ୍ତରାଧିକାରୀ ନଥିବାରୁ ରାଜା ମହାରାଜ ସାଏଙ୍କ ନିଧନ ପରେ ଇଂରେଜମାନେ କାଠପୁତୁଳି ଭଳି ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ। ରାଣୀ ମୋହନ କୁମାରୀଙ୍କ ରାଜସ୍ବ ନୀତିକୁ ନେଇ ସ୍ଥାନୀୟ ଜମିଦାରମାନେ ଅସନ୍ତୁଷ୍ଟ ଥିଲେ। ତାଙ୍କର ପ୍ରଜାବିରୋଧୀ ନୀତି ଯୋଗୁ ସେ ଲୋକପ୍ରିୟତା ହରାଇ ବସିଥିଲେ। ସୁରେନ୍ଦ୍ର ସାଏ ରାଜ ସିଂହାସନର ପ୍ରବଳ ଦାବିଦାର ଥିଲେ। ପିତା ଧର୍ମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହ ତତ୍ତ୍ୱାବଧାନରେ ଘୋଡ଼ାଚଢ଼ା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ। ୨୩ ଜାନୁଆରି ୧୮୦୯ରେ ଧରାପୃଷ୍ଠରେ ଅବତରଣ କରିଥିବା ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।
/sambad/media/post_attachments/wp-content/uploads/2021/01/surendra-2.jpg)
ତେବେ, ୧୮୪୦ରେ ସମ୍ୱଲପୁର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତଙ୍କ ସହିତ ଅନ୍ୟ ସହଯୋଗୀମାନଙ୍କୁ ଇଂରେଜମାନେ କୌଶଳକ୍ରମେ ଧରିବାକୁ ସକ୍ଷମ ହୋଇଥିଲେ। ସୁରେନ୍ଦ୍ରଙ୍କୁ ୫ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲ୍ରେ ବନ୍ଦୀ ରଖାଯାଇଥିଲା। ଇଂରେଜମାନେ ସୁରେନ୍ଦ୍ର ସାଏଙ୍କୁ ଏତେ ଭୟ କରୁଥିଲେ ଯେ ଏହି କାରାଦଣ୍ଡ ଅବଧି ସରିବା ପରେ ବି ତାଙ୍କୁ କାରାମୁକ୍ତ କରିନଥିଲେ। େତବେ, ୧୮୫୭ ମସିହାର ସିପାହୀ ବିଦ୍ରୋହ ସୁରେନ୍ଦ୍ର ସାଏଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ। ‘ଛୋଟା ବର୍ଦ୍ଧମାନ କା ପଲଟନ୍ ସହ ମିଶି ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଂଗି ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ।
ସେତେବେଳକୁ ସେ ଦୀର୍ଘ ୧୭ ବର୍ଷ ଜେଲ୍ ଭୋଗି ସାରିଥିଲେ। ଘଞ୍ଚ ଜଂଗଲ ମଧ୍ୟଦେଇ ଚାଲି ଚାଲି ବର୍ଷା ମାସ ଶେଷରେ ଦୁଇ ଭାଇ ନିଜ ମାତୃଭୂମିରେ ପହଂଚି ଥିଲେ। ସୁରେନ୍ଦ୍ର ସାଏଙ୍କ ଆଗମନରେ ଇଂରେଜମାନେ ବିଚଳିତ ହୋଇ ଉଠିଥିଲେ। ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସୁରେନ୍ଦ୍ର ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ ଶହ ଲୋକଙ୍କ ସହ ସମ୍ୱଲପୁର ସହରକୁ ପ୍ରବେଶ କରିଥିଲେ। ତେବେ, ସୁରେନ୍ଦ୍ର ଓ ତାଙ୍କ ଲୋକଙ୍କ ସଂପର୍କରେ ଖବର ରଖିବା ପାଇଁ ଇଂରେଜମାନେ ଗୁପ୍ତଚର ନିୟୋଜିତ କରିଥିଲେ। ଏଭଳି ସ୍ଥିତିରେ ସୁରେନ୍ଦ୍ର ଘଞ୍ଚ ବନାନୀ, ଗିରିଶୃଙ୍ଗକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ। ସୁରେନ୍ଦ୍ର ଇଂରେଜମାନଙ୍କ ସହିତ ମୁକାବିଲା ପାଇଁ ନିଜ ରଣନୀତି ବଦଳାଇ ଥିଲେ। ଏଥିର ସେ ‘ଗରିଲା ରଣନୀତି ଆପଣେଇ ଥିଲେ। ପାହାଡ଼ ଉପରୁ ପଥର ଖସାଇ ଇଂରେଜମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ତାଲିମପ୍ରାପ୍ତ ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ କାମ ଦେଇନଥିଲା।
ତେବେ, ପରିଶେଷରେ ବିଶ୍ୱାସଘାତକତାର ଶିକାର ହୋଇଥିଲେ ସୁରେନ୍ଦ୍ର ସାଏ। ତାଙ୍କ ଜନ୍ମଦିନ (୨୩ ଜାନୁଆରି ୧୮୬୪)ରେ ହିଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ଗିରଫ କରାଯାଇଥିଲା। ପ୍ରଥମରେ ରାୟପୁର ନିଆଯାଇଥିଲା। ସେଠାରୁ ପୁଣି କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ନାଗପୁର ଜେଲ୍କୁ ନିଆଯାଇଥିଲା। ହେଲେ, ଜୁନ୍ ୧୮୬୫ରୁ ଜୀବନର ଶେଷ ପର୍ଯ୍ୟନ୍ତ ଅସିରଗଡ଼ ଦୁର୍ଗରେ କଟିଥିଲା ତାଙ୍କ ବନ୍ଦୀ ଜୀବନ। ୩ ମାର୍ଚ୍ଚ ୧୮୮୩ରେ ଅସୁସ୍ଥ ହୋଇପଡ଼ିଥିଲେ ସୁରେନ୍ଦ୍ର। ଲମ୍ବା ଯନ୍ତ୍ରଣାଦାୟକ ରୁଗ୍ଣ ଜୀବନ ପରେ ୨୮ ଫେବ୍ରୁଆରି ୧୮୮୪ରେ ଏହି ମହାନ ବୀରଙ୍କ ଜୀବନ ଦୀପ ଲିଭି ଯାଇଥିଲା। ବୀର ସୁରେନ୍ଦ୍ର ସାଏ ଯୌବନର ଦୀର୍ଘ ୧୭ ବର୍ଷ ଏବଂ ଶେଷ ପର୍ଯ୍ୟାୟରେ ୨୦ବର୍ଷ ବନ୍ଦୀ ଜୀବନ ବିତାଇବା ଇତିହାସ ପୃଷ୍ଠାରେ ବିରଳ ଘଟଣା। ଜନ୍ମଭୂମି ପାଇଁ ଜୀବନ ଦେଇଥିବା ଏହି ମହାନାୟକଙ୍କ ପ୍ରତି ଉଚିତ ସମ୍ମାନ ମିଳିପାରି ନାହିଁ। ଏବେ ବି ତାଙ୍କ ଜନ୍ମପୀଠ ଅବହେଳିତ। ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଜୟନ୍ତୀ ସମାରୋହରେ ସାମିଲ ହୋଇ ଜନ୍ମପୀଠ ଖିଣ୍ଡାର ବିକାଶ ପାଇଁ ଅଂଚଳବାସୀଙ୍କ ଅନେକ ସ୍ବପ୍ନ ଦେଖାନ୍ତି। ମାତ୍ର, ତାହା ବାସ୍ତବ ରୂପ ନେଇ ନାହିଁ।