ସିଧାସଳଖ ନିଯୁକ୍ତ ଡିଏସ୍‌ପିଙ୍କୁ ପଦୋନ୍ନତି ପ୍ରସଙ୍ଗ: ନିଷ୍ପତ୍ତି ନେବାକୁ ଗୃହ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅତିରିକ୍ତ ଏସ୍‌ପି ପଦକୁ ପଦୋନ୍ନତି କ୍ଷେତ୍ରରେ ସିଧାସଳଖ ଡିଏସ୍‌ପି ଭାବେ ନିଯୁକ୍ତ ଅଧିକାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ପଦୋନ୍ନତି ପାଇଁ ପ୍ରସ୍ତୁତ ହେଉଥିବା ଗ୍ରେଡେସନ୍ ତାଲିକାରେ ଓଡ଼ିଶା ପୁଲିସ ସେବା (ଓପିଏସ୍‌) ପଦବିରେ ସିଧାସଳଖ ନିଯୁକ୍ତ ଅଧିକାରୀଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଉ ନଥିବା ବେଳେ ଏ ନେଇ ଗୃହ ବିଭାଗ ନିକଟରେ ଅଭିଯୋଗ ରହିଛି। ମାତ୍ର, ବିଚାରାଧୀନ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପକ୍ଷରେ ଅତିରିକ୍ତ ଏସ୍‌ପି ପଦକୁ ପଦୋନ୍ନତି କ୍ଷେତ୍ରରେ ନିୟମ କୋହଳ ପାଇଁ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ଚିଠି ଲେଖାଯାଇଛି। ଏଭଳି ବିଚିତ୍ର ସ୍ଥିତିରେ ଗ୍ରେଡେସନ୍‌ ତାଲିକାରେ ଉପଯୁକ୍ତ ସ୍ଥାନ ପ୍ରସଙ୍ଗରେ ସିଧାସଳଖ ନିଯୁକ୍ତ ଡିଏସ୍‌ପିଙ୍କ ରହିଥିବା ଅଭିଯୋଗ ଉପରେ ଏକ ମାସ ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ଗୃହ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଅନୁସାରେ ଏପରି ଅଭିଯୋଗ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥିସହିତ ପଦୋନ୍ନତି କ୍ଷେତ୍ରରେ ରହିଥିବା ନିୟମ କଡ଼ାକଡ଼ି ପାଳନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୌତମ କିଶାନ୍‌, ସି.କେ. ନାୟକ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସିଧାସଳଖ ଡିଏସ୍‌ପି ପଦରେ ନିଯୁକ୍ତି ପାଇଁ ଓପିଏସ୍‌ସି ୨୦୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆବେଦନକାରୀ ଏହି ପଦବିରେ ୨୦୧୬ରେ ନିଯୁକ୍ତି ପାଇଥିଲେ। ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ଡିଏସ୍‌ପି ଭାବେ ତିନିବର୍ଷ କାର୍ଯ୍ୟ କରିଥିବା ଆବଶ୍ୟକ ‌ବୋଲି ନିୟମ ରହିଛି। କିନ୍ତୁ ଅତିରିକ୍ତ ଏସ୍‌ପି ପଦକୁ ପଦୋନ୍ନତି କ୍ଷେତ୍ରରେ ସିଧାସଳଖ ନିଯୁକ୍ତ ଡିଏସ୍‌ପିଙ୍କୁ ଅଣଦେଖା କରାଯାଇ ନିକଟ ଅତୀତରେ ପଦୋନ୍ନତି ପାଇ ୨୦୨୧ରେ ଡିଏସ୍‌ପି ହୋଇଥିବା ଅଧିକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହୋଇଛି। ୨୦୧୬ ବ୍ୟାଚ୍‌ର ଡିଏସ୍‌ପିଙ୍କୁ ଗ୍ରେଡେସନ୍ ତାଲିକାରେ ୨୦୧୧ ବ୍ୟାଚ୍‌ର ଓପିଏ୍‌ସ ଅଧିକାରୀଙ୍କ ତଳସ୍ଥାନରେ ରଖାଯିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ବରିଷ୍ଠ ଅଧିକାରୀଙ୍କୁ ଅଣଦେଖା କରାଯାଇ କନିଷ୍ଠ ଅଧିକାରୀଙ୍କୁ କଣ ପାଇଁ ଗ୍ରେଡେସନ୍ ତାଲିକାରେ ଉପର ସ୍ଥାନ ଦେବାକୁ ଉଦ୍ୟମ କରାଯାଉଛି, ତାହା ଗୃହ ବିଭାଗ ଓ ପୁଲିସ ବିଭାଗକୁ ଜଣା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଜଣେ ସରକାରୀ ଅଧିକାରୀଙ୍କ ବରିଷ୍ଠତା ପଦରେ ଯୋଗଦାନ ଦିନରୁ ହିଁ ଆରମ୍ଭ ହୋଇଥାଏ।

ମାତ୍ର ସିଧାସଳଖ ନିଯୁକ୍ତ ଓପିଏସ୍‌ ଅଧିକାରୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ହୋଇଛି। ୨୦୨୧ରେ ନିଯୁକ୍ତ ଡିଏସ୍‌ପିଙ୍କୁ ପଦୋନ୍ନତି ଦେବାକୁ ଏବେ ଗୃହ ବିଭାଗ ଆଉ ଏକ ପାଦ ଆଗକୁ ଯାଇ ଅତିରିକ୍ତ ଏସ୍‌ପି ପଦବି ଲାଗି ଯୋଗ୍ୟ ବ୍ୟକ୍ତି ନାହାନ୍ତି ବୋଲି ଦର୍ଶାଇ ଓପିଏସ୍‌ସିକୁ ତିନି ବର୍ଷରୁ ଛଅ ମାସ ଯୋଗ୍ୟତା ଅବଧି କମାଇବାକୁ ଚିଠି ଲେଖିଛି। ସିଧାସଳଖ ନିଯୁକ୍ତ ଡିଏସ୍‌ପି ପାଞ୍ଚ ବର୍ଷରୁ ଅଧିକ ଡିଏସ୍‌ପି ଭାବରେ କାର୍ଯ୍ୟ କରିସାରିଲେଣି, କିନ୍ତୁ ସେମାନଙ୍କ ପ‌େଦାନ୍ନତି କଥାକୁ ପଛରେ ପକାଇ ସେମାନଙ୍କ ଠାରୁ କନିଷ୍ଠ ଅଧିକାରୀଙ୍କୁ ପଦୋନ୍ନତି ଲାଗି ପଥ ପରିଷ୍କାର କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏ ନେଇ ସିଧାସଳଖ ନିଯୁକ୍ତ ଡିଏସ୍‌ପି ଗୃହ ବିଭାଗ ଓ ଓପିଏସ୍‌ସି ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ କିଛି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ବାଧ୍ୟହୋଇ ଆବେଦନକାରୀ ଡିଏସ୍‌ପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର