ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଜାରକା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଘୋଷଣା କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି। ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅସହଯୋଗରୁ ଜାରକା ଏଏନ୍ଏସି ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଜାରକାରେ ବ୍ଲକ୍‌ ମୁଖ୍ୟାଳୟ ସହିତ ବହୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ସ୍କୁଲ୍, କଲେଜ୍ ଆଦି ଅନୁଷ୍ଠାନ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଜାରକା ଯାଜପୁର ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର। ଏହାକୁ ଏନ୍ଏସି କରିବାପାଇଁ ସମସ୍ତ ଭିତ୍ତିଭୂମି ରହିଛି। ଏହା ସତ୍ତ୍ବେ ଜାରକାକୁ ଏନ୍ଏସି ମାନ୍ୟତା ଦେବାରେ ପ୍ରଶାସନ ଓ ସରକାର କାହିଁକି ଗୁରୁତ୍ବ ଦେଉନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ପୂର୍ବରୁ ଜାରକାକୁ ଏନ୍ଏସି ମାନ୍ୟତା ଦାବିରେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପତ୍ରଲେଖି ଜଣାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ଲାବଣ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆର୍.ଭିନିଲ୍ କ୍ରିଷ୍ଣା ଓ ପୌର ନିର୍ଦେଶକ ସଂଗ୍ରାମଜିତ ନାଏକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ କରାଯିବା ସହ ଆବଶ୍ୟକ ତଥ୍ୟ ଏବଂ କାଗଜପତ୍ର ଦେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଶ୍ରୀ ଲାବଣ୍ୟ ସାକ୍ଷାତ କରିବା ସମୟରେ ଏଥିରେ ସାମିଲ ହେବାକୁ ଥିବା ପଞ୍ଚାୟତମାନଙ୍କର ରିଜୋଲୁସନ ଦେବାକୁ ଶ୍ରୀ ଲାବଣ୍ୟଙ୍କୁ ଦାୟିତ୍ବ ଦେଇଥିଲେ। ଜାରକା, କୁମାରୀ, ଗଙ୍ଗାଧରପୁର, ଚୋରମୁହାଁ, ଚହଟା ଆଦି ପଞ୍ଚାୟତ ଏଥିରେ ସାମିଲ ହେବାକୁ ଥିବାବେଳେ ପଞ୍ଚାୟତଗୁଡ଼ିକ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଗ୍ରହଣ କରାଯିବା ନେଇ ପୂର୍ବତନ ବିଧାୟକ ଶ୍ରୀ ଲାବଣ୍ୟ ସମ୍ପୃକ୍ତ ପଞ୍ଚାୟତର ସରପ‌ଞ୍ଚମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ।

ମାତ୍ର ପଞ୍ଚାୟତ ପକ୍ଷରୁ ରିଜୋଲୁସନ କରାଯାଇ ନଥିବାରୁ ଏହି କାର୍ଯ୍ୟ ଅଧାରେ ଅଟକି ରହିଛି। ଅନ୍ୟପକ୍ଷରେ ଜାରକାକୁ ଏନ୍ଏସି କରିବା ପାଇଁ ରାଜ୍ୟ ସରକାରଙ୍କର ଏହା ବିଚାରାଧୀନ ରହିଛି। ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଜାରକା ଏନ୍ଏସି ମାନ୍ୟତା ପାଇଲେ ରାଜ୍ୟରେ ଏକ ଆଗୁଆ ଅଞ୍ଚଳଭାବେ ପରିଚୟ ସୃଷ୍ଟି କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିକଶିତ ହୋଇପାରିବ। ୨୦୦୦ ମସିହା ପୂର୍ବରୁ ମଧ୍ୟ ଧର୍ମଶାଳାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସ୍ବର୍ଗତ ବୈରାଗୀ ଚରଣ ବିଶ୍ବାଳ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଟକୃଷ୍ଣ ପରିଡ଼ା ଜାରକାକୁ ଏନ୍ଏସି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ରାଜ୍ୟ ସରକାର ତୁରନ୍ତ ଏହାକୁ ଏନ୍ଏସି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।