ଖୋର୍ଦ୍ଧାରେ କାମ କରୁନାହିଁ ଉପଶ୍ରମ ନିୟୋଜନ କାର୍ଯ୍ୟାଳୟ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ସଦର ମହକୁମା ଖୋର୍ଦ୍ଧା । ଜିଲ୍ଲା ଗଠନ ହୋଇ ୨୫ ବର୍ଷ ବିତିଗଲାଣି, ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱରରୁ ସ୍ଥାନାନ୍ତରିତ ହୋଇନାହିଁ । ଯାହା ଆଛି ତାହା ମଧ୍ୟ ଅନେକ ସମୟରେ ଖୋଲୁନାହିଁ କିମ୍ବା ସରକାରୀ ଅଧିକାରୀଙ୍କ ଦେଖା ମିଳେନାହିଁ । ସରକାରଙ୍କ ଖୋର୍ଦ୍ଧା ପ୍ରତି ଏଭଳି ଏକ ବୈମାତୃକ ପ୍ରୀତିର ନମୁନା ଦେଖିବାକୁ ମିଳିଛି । ଖୋର୍ଦ୍ଧାଠାରେ ଥିବା ଉପଶ୍ରମ ନିୟୋଜନ କାର୍ଯ୍ୟାଳୟ ମାସର ଅନେକ ସମୟରେ ବନ୍ଦ ରହୁଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ମସଂସ୍ଥାନ ପାଇଁ ପ୍ରଚେଷ୍ଟା କରୁଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ସହରର ମଧ୍ୟସ୍ଥଳି ବାଣରାଜ୍ୟରେ ଥିବା ଉପଶ୍ରମ ନିୟୋଜନ କାର୍ଯ୍ୟାଳୟ ଗତ ପ୍ରାୟ ଦୁଇ ଦଶନ୍ଧୀ ଧରି ସେଠାରେ ନାମକୁ ମାତ୍ର ରହିଛି । ପଞ୍ଜିକରଣ, ସଂଶୋଧନ ଆଦି କାର୍ଯ୍ୟ ପାଇଁ ସପ୍ତାହର ଗୋଟିଏ ଦିନ ମଙ୍ଗଳବାର କେବଳ ଖୋଲିଥାଏ । କିନ୍ତୁ ମଙ୍ଗଳବାର ମଧ୍ୟ ଅପରାହ୍ଣ ୨ଟା ଯାଏଁ କର୍ମଚାରୀଙ୍କ ଦେଖାସାକ୍ଷାତ ମିଳେନାହିଁ । ଗତକାଲି ଶତାଧିକ ଛାତ୍ରଛାତ୍ରୀ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ଆସି ସକାଳ ୧୦ଟାରୁ ଅପେକ୍ଷା କରିଥିଲେ । ଅପରାହ୍ଣ ୨ଟା ଯାଏଁ ଅପେକ୍ଷା କରି ଶେଷରେ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଜଣାଇଥିଲେ ।

ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ଆଜି ଗୋଟିଏ ଦିନ ନୁହେଁ ନିୟମିତ ଭାବେ ସାମାନ୍ୟ ଫର୍ମ ପୂରଣ ଓ ଦାଖଲ ପାଇଁ ସକାଳ ୯ଟାରୁ ଆସି ୪ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିଥାଏ । କର୍ମଚାରୀଙ୍କ ଆସିବା ସମୟର କୌଣସି ଠିକଣା ନାହିଁ । ମନଇଚ୍ଛା ସମୟରେ ଆସନ୍ତି କିନ୍ତୁ ଅପରାହ୍ଣ ୪ଟା ହେଲେ କାର୍ଯ୍ୟାଳୟ ବନ୍ଦ କରିଦିଅନ୍ତି । ଏନେଇ କାର୍ଯ୍ୟାଳୟରେ ଅନେକ ସମୟରେ ହଟ୍ଟଗୋଳ ହୋଇଛ। ଏହା ସତ୍ତ୍ବେ ବି କୌଣସି ସୁଧାର ଆସିନାହିଁ ।

ସମ୍ବନ୍ଧିତ ଖବର