ଲେଫ୍ରିପଡ଼ା: ଗରିବ ଓ ଭୂମିହୀନ ପରିବାରଙ୍କୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଘରଡିହ ଯୋଗାଇ ଦେଇଥିଲେ ସୁଦ୍ଧା ବର୍ଷ ବର୍ଷ ଧରି ସେସବୁ ଚିହ୍ନଟ କରାଯାଉ ନ ଥିବାରୁ ଗରିବ ବାପୁଡ଼ା ତାହା ଦଖଲ କରିପାରୁନାହିଁ। ନିୟମିତ ତହସିଲ ଓ ଆର୍‌ଆଇ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଉଥିବାବେଳେ ସଂପୃକ୍ତ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଓଲଟା ଶୋଷଣ କରିଚାଲିଥିବା ଅଭିଯୋଗ ହେଉଛି । ଏଭଳି ଅବ୍ୟବସ୍ଥା ଯୋଗୁ ସଂପୃକ୍ତ ଜମିହୀନ ପରିବାରଗୁଡ଼ିକ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ସରକାରଙ୍କ ଏହି ସୁନ୍ଦର ଯୋଜନା ସଫଳତାଠାରୁ ବହୁଦୂରରେ ରହିଯାଇଛି।

Advertisment

ସୂଚନା ଅନୁସାରେ, ୮୦ ଦଶକରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନ ଓ ଗରିବ ଆଦିବାସୀ ହରିଜନ ପରିବାରଙ୍କୁ ମିଳିଥିବା ଜମି ଓ ଘରଡିହ ବର୍ଷ ବର୍ଷ ଧରି ସେମାନେ ଦଖଲ କରିବାରୁ ବଞ୍ଚିତ ହୋଇଛନ୍ତି। ନିୟମ ମୁତାବକ ଲିଜ୍‌ରେ ପଟ୍ଟା ଦିଆଯାଇଥିବା ଚାଷଜମି ଓ ଘରଡିହର ଦଖଲନାମା ପ୍ରଦାନ କରାଯିବା କଥା। ଏହାଛଡ଼ା ସିଲିଂ ଉଦ୍‌ବୃତ୍ତ ଜମି ବଣ୍ଟନ ହୋଇଥିଲେ ସୁଦ୍ଧା ଚିହ୍ନଟ ହୋଇନଥିବାରୁ ସେମାନଙ୍କୁ ଚିହ୍ନଟକରଣ ଓ ଦଖଲ ଦେବାର ବ୍ୟବସ୍ଥା କରାଯିବା ଉଚିତ। ଏଭଳିକି ସର୍ବସାଧାରଣ ଜମି, ଗୋଚର ଓ ସରକାରୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସିଛନ୍ତି। ସେସବୁର ଉଚ୍ଛେଦ କରାଯାଇ ଗରିବ ଭୂମିହୀନ ଲୋକଙ୍କୁ ବଣ୍ଟନ କରାଯିବା ଉଚିତ। କିନ୍ତୁ ଜମି ଓ ଘରଡିହ ପାଇବା ପାଇଁ ସଂଖ୍ୟାଧିକ ହିତାଧିକାରୀ ଅପେକ୍ଷା କରିଥିବାବେଳେ କର୍ତ୍ତୃପକ୍ଷଙ୍କ ଉଦାସୀନ ମନୋଭାବ ପୋଷଣ କରୁଥିବା ପରିତାପର ବିଷୟ। ବହୁ ପରିବାର ସଂପୂର୍ଣ୍ଣ ଭୂମିହୀନ ଥିବାରୁ ସେମାନେ କୌଣସି ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଅଦ୍ୟାବଧି ତହସିଲ ପକ୍ଷରୁ ହଜାର ହଜାର ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି ସତ; ମାତ୍ର  ସେମାନଙ୍କୁ ଏ ପର୍ଯ୍ୟନ୍ତ ଦଖଲ ଦିଆଯାଇ ପାରିନାହିଁ। ନିୟମିତ ଭାବେ ସେମାନଙ୍କଠାରୁ ମାଲଗୁଜାରୀ ଆଦାୟ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ତାଙ୍କ ଜମିର ଅଧିକାର ପ୍ରଦାନ କରାନଯିବା ଉଦ୍‌ବେଗର ବିଷୟ। ଗରିବଲୋକେ ବାରମ୍ବାର ତହସିଲ ଓ ଆର୍‌ଆଇ କାର୍ଯ୍ୟାଳୟକୁ ବର୍ଷ ବର୍ଷ ଧରି ଦୌଡ଼ି ନୟାନ୍ତ ହେବା ପରେ ଚୁପ୍ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।

ଏହାଛଡ଼ା ଅନେକ ଗରିବ ପରିବାର ଜଙ୍ଗଲ ଜମିର ସତ୍ତ୍ୱ ପାଇବା ଅପେକ୍ଷାରେ ରହିଥିଲେ ବି ପ୍ରଶାସନ ସେମାନଙ୍କୁ ଉପେକ୍ଷିତ କରି ଚାଲିଛନ୍ତି । ସଂପ୍ରତି ସରକାର ଯେଉଁ ରାଜସ୍ୱ କାର୍ଯ୍ୟକ୍ରମରେ ସଂସ୍କାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ବାସ୍ତବରେ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ସେ ସର୍ବ ପ୍ରଥମେ ଗରିବଙ୍କୁ ମିଳିଥିବା ଘରଡ଼ିହ ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା କରି ସେମାନଙ୍କୁ ନିଜ ଜମିର ହକ୍ ପ୍ରଦାନ କରିବାର ବ୍ୟବସ୍ଥା କଲେ ସଂଖ୍ୟାଧିକ ଗରିବ ପରିବାର ଉପକୃତ ହେବା ସଙ୍ଗେ ସଙ୍ଗେ ସରକାରଙ୍କ ଏହି ଅଭିନବ ଯୋଜନା ନିଶ୍ଚିତ ଭାବେ ସଫଳ ହୋଇ ପାରିବ ବୋଲି ବୁଦ୍ଧିଜିବୀ ମହଳରେ ପ୍ରକାଶ ପାଇଛି ।