ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଭରୁଆମୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଆବାସ ଯୋଜନା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ବଡ଼ଭାଇର ପଥର ମାଡ଼ରେ ସାନର ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିନାଥ ମାଝୀ। ପୁଲିସ୍ ହତ୍ୟାକାରୀ ବଡ଼ଭାଇକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ଭରୁଆମୁଣ୍ଡା ଗ୍ରାମର ନିରଞ୍ଜନ ମାଝୀ (୪୨)ଙ୍କ ସ୍ତ୍ରୀଙ୍କ ନାଁରେ ଆବାସ ଯୋଜନା କାର୍ଯ୍ୟାଦେଶ ମିଳିଛି। ଘର ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଆକାଉଣ୍ଟରେ ଜମା ହୋଇଛି।
ଏଥିରୁ କିଛି ଖର୍ଚ୍ଚ କରିବା ପାଇଁ ସ୍ତ୍ରୀକୁ ନିରଞ୍ଜନ ମାଗିଥିଲେ। ହେଲେ ସେ ମନାକରିବାରୁ ନିରଞ୍ଜନ ସ୍ତ୍ରୀ ଓ ପୁଅ ଝିଅଙ୍କୁ ମାଡ଼ ମାରିଥିଲେ। ସେଠାରୁ ସେମାନେ ନିରଞ୍ଜନଙ୍କ ଭାଇ ତ୍ରିନାଥ ମାଝୀଙ୍କ ଘରକୁ ଚାଲି ଯାଇଥିଲେ। ସାନଭାଇ ତ୍ରିନାଥ କାହିଁକି ମାଡ଼ ମାରୁଛୁ ବୋଲି କହିବାରୁ ନିରଞ୍ଜନ ଏଥିରେ ରାଗିଯାଇ ତ୍ରିନାଥଙ୍କ ମୁହଁ ଉପରକୁ ଇଟା ପଥର ମାରିଥିଲା। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଖଡ଼ିଆଳ ମିସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ତ୍ରିନାଥଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମଝିଆ ଭାଇ ପରମେଶ୍ୱର ମାଝୀ ଲିଖିତ ଅଭିଯୋଗ କରିବା ପରେ ସିନାପାଲି ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ନିରଞ୍ଜନ ମାଝୀକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।