ପଣ୍ଡାପଡ଼ା: ଜାମୁକୋଳି ତୋଳିବା ବେଳେ ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ଜଣେ ନାବାଳକର ଗୋଡ଼ ଛିଣ୍ଡିଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବସନ୍ତପୁର ପଞ୍ଚାୟତ ଉକୁଚାବେଡ଼ା ଗ୍ରାମର ମୁଣ୍ଡାସାହିରେ। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୁଣ୍ଡାସାହିର ସ୍ବର୍ଗତ ବିଜୟ ମୁଣ୍ଡାଙ୍କ ପୁଅ ବିକାଶ (୧୦) ଆଜି ଅପରାହ୍‌ଣ ୨ଟାବେଳେ ସାହିର କିଛି ପିଲାଙ୍କ ସହ ଜାମୁକୋଳି ତୋଳିବାକୁ ଯାଇଥିଲେ।

Advertisment

ବିକାଶ ଗଛରେ ଚଢ଼ି କୋଳି ‌ତୋଳୁଥିଲା। ଅନ୍ୟ ପିଲାମାନେ ତଳେ ଥିଲେ। କୋଳି ତୋଳିବା ସମୟରେ ଗଛକୁ ଲାଗି ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତାରରେ ଗୋଡ଼ ବାଜି ଯିବାରୁ ଶକ୍ତ ଝଟ୍‌କା ଲାଗିଥିଲା। ବିକାଶର ଡାହାଣ ଗୋଡ଼ ଜଳିଯିବା ସହ ଆଣ୍ଠୁ ପାଖରୁ ପୋଡ଼ିଯାଇ ଛିଣ୍ଡିଯାଇଥିଲା। ସେ ଗଛରୁ ତଳକୁ ଖସି ପଡ଼ିଥିଲା। ପାଦଟି ଅଲଗା ହୋଇଯାଇଥିଲା। ପିଲାମାନଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା।