ରାଉରକେଲା: ଭୁଲି ଗଲା ମା’ର ମମତା। ଯେଉଁ କଅଁଳ ଶିଶୁ ମୁହଁରେ ହସ ଟିକକ୍ ପାଇଁ ସବୁ ସ୍ନେହ ଓ ମମତା ଅଜାଡି ଦେଇ ଆସୁଥିଲା। ସେହି ଶିଶୁ କନ୍ୟାକୁ ଛାଡିଗଲା ଜନ୍ମକଲା ମା’। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ନୂଆ ବସ୍ଷ୍ଟାଣ୍ଡରେ। ପାଇଥିବା ଛୁଆଟିକୁ ମହିଳା ଜଣଙ୍କ ପ୍ଲାଣ୍ଟସାଇଟ୍ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ଶିଶୁକନ୍ୟାକୁ ବିଶ୍ରାସ୍ଥିତ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। କେଉଁ ପରିସ୍ଥିତିରେ, କ’ଣ ପାଇଁ ଜନ୍ମ କଲା ମା’ ଶିଶୁ କନ୍ୟାକୁ ଏପରି ଅବସ୍ଥାରେ ଛାଡି ଚାଲିଗଲା ପୁଲିସ ତା’ର ତଦନ୍ତ କରୁଛି। ଘଟଣାଟି ଥିଲା ଏମିତି। ରାଉରକେଲା ନୂଆ ବସ୍ଷ୍ଟାଣ୍ଡରେ ଜଣେ ମହିଳା ନିଜ ୧୦ ମାସର ଶିଶୁ କନ୍ୟା ସହ ରହୁଥିଲା। ବସ୍ଷ୍ଟାଣ୍ଡ ଓ ଏହାର ଆଖପାଖରେ ଭିକ ମାଗି ପେଟ ପୋଷୁଥିଲା। ସେହି ବସ୍ଷ୍ଟାଣ୍ଡ ଛାତ ତଳେ ନିଜ ଶିଶୁକନ୍ୟା ସହ ରାତି କାଟୁଥିଲା।
ଆଜି ପୂର୍ବାହ୍ନ ୧୦ଟାରେ ଶିଶୁ କନ୍ୟାକୁ ଖେଳନା, କ୍ଷୀର ବୋତଲ ଦେଇ ଚାଲିଯାଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଫେରି ନଥିଲା। ଶିଶୁକନ୍ୟା ମା’କୁ ନ ପାଇ ଭୋକରେ କାନ୍ଦୁଥିଲା। ତା’ର କାନ୍ଦ ଶୁଣି ବସ୍ଷ୍ଟାଣ୍ଡରେ ଜଣେ ମହିଳା ଶିଶୁକନ୍ୟାକୁ ନିଜ କୋଳକୁ ନେଇଥିଲା। ବସ୍ଷ୍ଟାଣ୍ଡରେ ଶିଶୁକନ୍ୟାର ମା’କୁ ପ୍ରାୟ ଘଣ୍ଟାଏ କାଳ ଖୋଜିଥିଲା। ନ ପାଇବାରୁ ପ୍ଲାଣ୍ଟସାଇଟ୍ ପୁଲିସକୁ ସୂଚନା ଦେଇଥିଲା। ପୁଲିସ ପହଞ୍ଚି ଶିଶୁଟିକୁ ଥାନାକୁ ନେବା ପରେ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲା।