୩ ଦିନରେ ୫ ଡିଗ୍ରି ଯାଏ କମିବ ରାତି ତାପମାତ୍ରା
ଭୁବନେଶ୍ବର: ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିଛି। ଗତ ୩ ଦିନ ହେଲା ଶୀତ ପ୍ରଭାବ ମଧ୍ୟ କମ୍ ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ତଳକୁ ଖସିବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ ବଢ଼ିବ। ଅନ୍ୟପଟେ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଆଜି ସକାଳେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ସେହିପରି ଆସନ୍ତାକାଲି ସକାଳେ ମଧ୍ୟ ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ, ଦିନରେ ପାଗ ସମ୍ପୂର୍ଣ୍ଣ ଖରାଟିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।