ଘରପୋଡ଼ି ପରଦିନ ଆଖିବୁଜିଲେ ବୃଦ୍ଧା

ସାରସକଣା: ସାରସକଣା ବ୍ଲକ୍‌ ସାରସକଣା ପଞ୍ଚାୟତ ଅନ୍ତର୍ଗତ ଢେଣ୍ଡଗାଁ ଗ୍ରାମର ସ୍ବର୍ଗତ ଗୋଷ୍ଠବିହାରୀ ପାତ୍ରଙ୍କ ପତ୍ନୀ ବାସନ୍ତୀ ପାତ୍ର (୬୫)ଙ୍କ ଘରେ ଗତକାଲି ରାତି ପ୍ରାୟ ୧ଟା ବେଳେ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଘର ସହ ଆସବାବପତ୍ର, ଅନ୍ୟ ଗୁରୁତ୍ବପୂର୍ଣ୍ଣ ଜିନିଷ ତଥା ଯୁକ୍ତତିନି ପଢ଼ୁଥିବା ନାତୁଣୀ ଶର୍ମିଷ୍ଠା ପାତ୍ରଙ୍କ ସାର୍ଟିଫିକେଟ‌୍ ସଂପୂର୍ଣ୍ଣ ଜଳିଯାଇଛି।

ଖବର ପାଇ ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ସେତେବେଳକୁ ସବୁକିଛି ପାଉଁଶ ହୋଇଯାଇଥିଲା। ତେବେ ଏପରି ଏକ ଅଘଟଣକୁ ବାସନ୍ତୀ ସହ୍ୟ କରି ପାରି ନାହାନ୍ତି। ଆଜି ସକାଳେ ତାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ଜୀବନ ଚାଲିଯାଇଥିଲା। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ବାସନ୍ତୀଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ରହୁଥିବା ଝିଅ ସ୍ନେହଲତା ଓ ନାତୁଣୀ ଶର୍ମିଷ୍ଠା ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ତେଣୁ ପ୍ରଭାବିତ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର