ନିରାଶ ହେଲେ ଆନନ୍ଦପୁରବାସୀ, ରେଳପଥ ସଂଯୋଗ ଦାବିକୁ ଅଣଦେଖା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜନସାଧାରଣଙ୍କୁ ନିରାଶ ହେବାକୁ ପଡ଼ିଛି। ଏଇଥିପାଇଁ ଯେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ଉପଖଣ୍ଡ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି, ବାରିଗାଁର ମା ଧନେଇ ସେବାସଂଘ, ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ବାରମ୍ବାର ଆନ୍ଦୋଳନ, ଧାରଣା, ରାସ୍ତାରୋକ, ମାନବଶୃଙ୍ଖଳ, ଆନନ୍ଦପୁର ବନ୍ଦ କରିଥିଲେ। ରେଳପଥ ସଂଯୋଗ ଦାବିରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତିନିଥର ରେଳ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଥିଲା। ହେଲେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ।

ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସ୍ଥାନୀୟ ଶାସକ ଦଳ ନେତାଙ୍କ ଭଳି କେନ୍ଦୁଝର ସାଂସଦ ଏନେଇ ମୁହଁ ଖୋଲୁ ନଥିଲେ ହେଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରେଳମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ଭେଟି ଆନନ୍ଦପୁରକୁ ରେଳପଥ ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ବଜେଟ୍‌ରେ କିଛି ବି ବ୍ୟବସ୍ତା ହେଲା ନାହିଁ।

ଆନନ୍ଦପୁର ବିକାଶ ପରିଷଦ ସଭାପତି ପ୍ରଫେସର ରମାକାନ୍ତ ନାୟକ କହିଛନ୍ତି, ହରିଚନ୍ଦନପୁରଠାରୁ ଭାୟା ଆନନ୍ଦପୁର ଓ ଭଦ୍ରକ ଦେଇ ଧାମରା ବନ୍ଦରକୁ ରେଳପଥ ସଂଯୋଗ ପ୍ରସ୍ତ‌ାବ ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରସ୍ତାବ ବିଚାର କରାନଯିବା ଦୁର୍ଭାଗ୍ୟଜନକ। ସେହିପରି ଯାଜପୁର-କେନ୍ଦୁଝର ରୋଡଠାରୁ ଆନନ୍ଦପୁର ଦେଇ ମୟୂରଭଞ୍ଜର ଯଶିପୁରକୁ ରେଳପଥ ସଂଯୋଗ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡ଼ିରହିଛି। କେନ୍ଦୁଝର ଜିଲ୍ଲାର ଖଣିଖାଦାନରୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଟିକସ ନେଉଥିବା ବେଳେ ଜିଲ୍ଲାର ବିକାଶକୁ ଅଣଦେଖା କରାଯାଉଛି ବୋଲି ପ୍ରଫେସର ନାୟକ କହିଛନ୍ତି। ସେହିପରି ବାରିଗାଁ ମା ଧନେଇ ସେବାସଂଘ ସଭାପତି ବିଷ୍ଣୁପ୍ରସାଦ ବାରିକ କହିଛନ୍ତି, ଆନନ୍ଦପୁରକୁ ରେଳପଥ ସଂଯୋଗ ନହେବା ଜିଲ୍ଲ‌ାର ନେତୃତ୍ବ ପ୍ରତି ପ୍ରଶ୍ନଚିହ୍ନ ଆଙ୍କିଛି। ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଶାସକ ଦଳପାଇଁ ଏହା ପ୍ରସଙ୍ଗ ହେବ ବୋଲି ଶ୍ରୀ ବାରିକ କହିଛନ୍ତି।

ସମ୍ବନ୍ଧିତ ଖବର