ଧର୍ମଶାଳା: ମଦ ଧରିବାକୁ ସାଦା ପୋଷାକରେ ଯାଇଥିବା ପୁଲିସ୍ କର୍ମଚାରୀଙ୍କୁ ଲୋକେ ନିସ୍ତୁକ ପିଟିଛନ୍ତି। ଖବର ପାଇ ଅନ୍ୟ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଭୟ ସହକର୍ମୀଙ୍କୁ ଉଦ୍ଧାର କରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଧର୍ମଶାଳା ଥାନା ସୁନ୍ଦୁରିଆ ପଞ୍ଚାୟତ ଷଣ୍ଢପୁର(ଶବର ସାହି) ଗାଁରେ। ପ୍ରକାଶ ଯେ, ଷଣ୍ଢପୁର ଗାଁରେ ଚୋରା ମଦ ବେପାର ହେଉଥିବା ଖବର ପାଇ ଧର୍ମଶାଳା ଥାନାର ହାବିଲଦାର(୩୬୧) ଓ ଜଣେ କନେଷ୍ଟବଳ(୬୨୬) ବୁଧବାର ମଧ୍ୟାହ୍ନରେ ଚଢ଼ଉ କରିଥିଲେ।
ଉଭୟ ଏକ ବାଇକ୍ରେ ଏବଂ ସାଧା ପୋଷାକରେ ଯାଇ ଶବର ସାହିର ଜଣେ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ଗୃହକର୍ତ୍ତା ଓ ତାଙ୍କ ପତ୍ନୀଙ୍କୁ ମାରପିଟ୍ କରିଥିଲେ। ବାପା, ମା’ଙ୍କୁ ମାଡ଼ ହେଉଥିବା ଦେଖି ଦମ୍ପତିଙ୍କ ୨ପୁଅ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ ଉଭୟ ପୁଲିସ୍ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ। ସାଧା ପୋଷାକରେ ଥିବାରୁ ୨ଭାଇ ସେମାନଙ୍କୁ ଚିହ୍ନି ପାରିନଥିଲେ। ଚୋର ଭାବି ସଂପୃକ୍ତ ପୁଲିସ୍ଙ୍କୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ସାଧା ପୋଷାକରେ ଏବଂ ବିନା ଅନୁମତିରେ ହଠାତ୍ ଜଣେ ଲୋକଙ୍କ ଘରେ ପଶି ଗୃହକର୍ତ୍ତା ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ୨ ପୁଲିସ୍ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଲୋକଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ୨ ପୁଲିସ୍ କର୍ମଚାରୀ ଗାଁ ରାସ୍ତାରେ ଦୌଡ଼ିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କେଉଁ ଉଦ୍ଦେଶ୍ୟରେ ଏବଂ କାହା ଇଙ୍ଗିତରେ ସଂପୃକ୍ତ ପୁଲିସ୍ କର୍ମଚାରୀ ସାଧା ପୋଷାକରେ ଉକ୍ତ ବ୍ୟକ୍ତିଙ୍କ ଘରେ ପଶିଥିଲେ ଏହାର ନିରପେକ୍ଷ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/14-20.jpg)