କୁହୁଡ଼ି: ସ୍ବାଧୀନତା ପୂର୍ବରୁ କୁହୁଡ଼ିରେ ଡାକଘର ସ୍ଥାପିତ ହୋଇଥିଲେ ହେଁ ବଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କର ଚରମ ଉଦାସୀନତା ଯୋଗୁ ଏବେବି ଏହା ଏକ ଛୋଟ ଭଡ଼ାଘରେ ଚାଲୁଛି। ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ କାର୍ଯ୍ୟ କରିଆସୁଛି। ଏପରିକି ଏଠାରେ ମୌଳିକ ସୁବିଧାସୁଯୋଗର ଅଭାବ ଲାଗି ରହୁଥିଲା ବେଳେ ଏଥିଲାଗି ସାଧାରଣଜନତା ବର୍ଷବର୍ଷ ଧରି ହନ୍ତସନ୍ତ ହେଉଛନ୍ତି। ପ୍ରକାଶ ଥାଉକି ବରଡିହି, ବିରିବାଡ଼ି, କୁଞ୍ଜୁରି ଓ ସୋରଣ ଶାଖା ଡାକଘରଗୁଡ଼ିକ କୁହୁଡ଼ି ଉପଡାକଘର ଅଧୀନରେ କାର୍ଯ୍ୟ କରିଥାଏ। ଗୋଟିଏ କଲେଜ, ୭ଟି ହାଇସ୍କୁଲ, ୨୫ଟି ପ୍ରାଥମିକ ବିଦ୍ୟାଳୟ, ୫ଟି ସେବା ସମବାୟ ସମିତି, ୪ଟି ଡାକ୍ତରଖାନା, ୨ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ୩ଟି ପାଠାଗାର ସହିତ କୁହୁଡ଼ି, ରତନପୁର, କୁଞ୍ଜୁରି, ସୋରଣ, ବିରିବାଡ଼ି ଓ ହାଟବରଡ଼ି ଆଦି ୬ଟି ପଞ୍ଚାୟତର ୧୦ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଏହି ଡାକଘର ଉପରେ ନିର୍ଭର କରିଥା’ନ୍ତି।
ନିୟମିତ ଭାବରେ ଅବସରପ୍ରାପ୍ତ କର୍ମଚାରୀ ଏଠାରୁ ପେନସନ୍ ନେଉଥିବା ବେଳେ, ମନିଅର୍ଡର, ପାର୍ସଲ୍, ଚିଠିପତ୍ର, ଟଙ୍କା ଦେଣ ନେଣ ସମୟରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଗ୍ରାହକଗଣ ଅହେତୁକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏମିତିକି କର୍ମଚାରୀ ବସିବା ପାଇଁ ସ୍ଥାନ ନ ଥିବାବେଳେ ଅନ୍ୟମାନଙ୍କ କଥା ନକହିଲେ ଭଲ। ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ମହିଳାମାନଙ୍କ ପାଇଁ ଏହା ଏକ ଯନ୍ତ୍ରଣାପ୍ରଦ ସରକାରୀ କାର୍ଯ୍ୟାଳୟ ପାଲଟିଛି। ପରିତାପର ବିଷୟ ଯେ ୧୯୯୩ରୁ କୁହୁଡ଼ି ରାଜସ୍ବ କାର୍ଯ୍ୟାଳୟ ନିକଟରେ ନୂତନ ଡାକଘର ପାଇଁ ସ୍ଥାନ ନିରୁପଣ ହୋଇ ଚାରିପଟେ ପଥର ପାଚେରି କରି ଲୁହା ଗେଟ ଲଗା ଯାଇଥିଲା। ହେଲେ ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣା ଅଭାବରୁ ଅନାବନା ଗଛ ଲଟାରେ ତାହା ଭର୍ତ୍ତି ହୋଇଯାଇଛି। ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର, ସାଂସଦ ତଥା ଅନ୍ୟ ଜନପ୍ରତିନିଧି ଧ୍ୟାନ ଦେଇ ତୁରନ୍ତ କୁହୁଡ଼ି ଡାକଘର ଲାଗି ଏକ ସ୍ଥାୟୀ କୋଠା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।