ଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ଫଟୋ ଟୁଇଟ୍ କଲେ ପ୍ରଧାନମନ୍ତ୍ରୀ

ଭଦ୍ରକ: ଆଜି ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଟୁଇଟରରେ ଦେଶର ବହୁ ବିଜ୍ଞ ଶିକ୍ଷକଙ୍କର ଫଟୋ ଟୁଇଟ୍ କରିଛନ୍ତି। ତା ଭିତରେ ଭଦ୍ରକ ଜିଲ୍ଲା ସ୍କୁଲର ଜାତୀୟ ପୁରସ୍କାରପ୍ରାପ୍ତ ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ଫଟୋ ମଧ୍ୟ ରହିଛି।

ଯେଉଁ ଶିକ୍ଷକମାନେ କଠିନ ପରିଶ୍ରମ କରି ଶିକ୍ଷାର ଗୁଣାତ୍ମକ ମାନକୁ ଯୁବ ମାନସରେ ପରିସ୍ଫୁଟିତ କରି ପାରିଛନ୍ତି ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଶତପଥୀଙ୍କୁ ୨୦୨୧ ମସିହାରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। କରୋନା କଟକଣା ମଧ୍ୟରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଶତପଥୀଙ୍କୁ ଏକ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଫଟୋ ଟୁଇଟ୍‌ କରିଥିବାରୁ ଶିକ୍ଷକ ଶ୍ରୀ ଶତପଥୀ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ଶତପଥୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର