ବଲାଙ୍ଗୀର/ସୋନପୁର/ତରଭା: ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓରଫ୍ ସୁନା ମ୍ୟାଡାମ୍ଙ୍କ ଗାଡ଼ି ଧକ୍କାରେ ୩ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନଁା ନେଉନି। ଏହି ଘଟଣାରେ ଗିରଫ ହୋଇଥିବା ଗାଡ଼ିର ଚାଳକ ଅଜୟ ଜେଠୀଙ୍କ ସହ ଇନ୍ସପେକ୍ଟର ସୁନା ମ୍ୟାଡାମ୍ଙ୍କ ସମ୍ପର୍କକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ଅଭିଯୁକ୍ତ ଅଜୟ ହେଉଛନ୍ତି ତାଙ୍କର ପ୍ରେମିକ ଏବଂ ସୁନା ମ୍ୟାଡାମ୍ ଏକା ପୁରୀ ଯାଇନଥିଲେ, ସାଙ୍ଗରେ ବି ଅଜୟ ଯାଇଥିଲେ। ଏହା ଆମେ କହୁନୁ, ସୁନ୍ଦରଗଡ଼ ଟାଉନ ଥାନାରେ ସୁନା ମ୍ୟାଡାମଙ୍କ ସ୍ୱାମୀ ଦେଇଥିବା ଏତଲାରୁ ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗାଡ଼ି ଚାଳକ ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ତଦନ୍ତରୁ ଜଣାପଡ଼ିଛି। ଫଳରେ, ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ସୁନା ମ୍ୟାଡାମଙ୍କ ନଁାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅଜୟ ଜେଠୀ ଓ ମହିଳା ଇନ୍ସ୍ପେକ୍ଟର ସୁନା ମ୍ୟାଡ଼ାମଙ୍କ ନାଁରେ ସୁନ୍ଦରଗଡ଼ ଟାଉନ ଥାନାରେ ଗତ ମେ ୨ ତାରିଖ ଦିନ କେସ୍ ନଂ-୧୭୧, ଦଫା ୨୯୪, ୫୦୬, ୩୨୩, ୪୯୪, ୩୪ ଆଇପିସି, ଏସ୍ସି/ଏସ୍ଟି ଆକ୍ଟରେ ମାମଲା ରୁଜୁ ହୋଇଛି। ସୁନା ମ୍ୟାଡ଼ାମଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଉକ୍ତ ମାମଲା ରୁଜୁ ହୋଇଛି। ସୁନା ମ୍ୟାଡ଼ାମଙ୍କ ସ୍ୱାମୀ ଜଣେ ଅଧ୍ୟାପକ। ସେ ରାଉରକେଲାରେ ଏକ ସରକାରୀ କଲେଜରେ କାର୍ଯ୍ୟ କରୁଛନ୍ତି। ଗୋଟିଏଦିନ ସେ ସୁନ୍ଦରଗଡ଼ ଆସି ସୁନା ମ୍ୟାଡ଼ାମଙ୍କ କ୍ୱାର୍ଟର୍ସକୁ ଯିବାପରେ ସେ ସେଠାରେ ଅଜୟ ଜେଠୀଙ୍କୁ ଦେଖିଥିଲେ। ଅଜୟ କିଏ ବୋଲି ସ୍ୱାମୀ ପ୍ରଶ୍ନ କରିବାରୁ ସୁନା ମ୍ୟାଡ଼ାମ ତାଙ୍କୁ ବିବାହ କରିଥିବା କହିଥିଲେ। ଅଜୟ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ତାକୁ ନେଇ ତାଙ୍କ ସ୍ୱାମୀ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ମହିଳା ପୁଲିସଙ୍କ ପ୍ରେମ କାହାଣୀ ସେଇଦିନଠୁ ଚାଲିଥିଲା ବୋଲି ଚର୍ଚ୍ଚା ହେଉଛି। ଆଉ ଏଥର ସୁନା ମ୍ୟାଡ଼ାମ ଅଜୟଙ୍କୁ ଧରି ପୁରୀ ଡ୍ୟୁଟିରେ ଯାଇଥିଲେ। ସୁନାବେଶ ଡ୍ୟୁଟି ସାରି ସେ ଫେରୁଥିବା ସମୟରେ ଅଜୟ ଗାଡ଼ି ଚଳାଉଥିଲେ। ବାମରୁ ଡାହାଣକୁ ହଠାତ୍ ଗାଡ଼ି ଟର୍ଣ୍ଣ କରି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଅଟୋ ଓ ବାଇକ୍କୁ ପିଟିଥିଲେ। ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ, କାଳେ ଛୁପାରୁସ୍ତମ ସୁନାମ୍ୟାଡ଼ାମଙ୍କ ପ୍ରେମ କାହାଣୀ ଧରାପଡ଼ିଯିବ, ସେହି ଭୟରେ ସେ ଓ ଅଜୟ ଜାଗା ଛାଡ଼ି ଫେରାର ମାରିଥିବା କୁହାଯାଉଛି। କିନ୍ତୁ ଧୀରେ ଧୀରେ ମ୍ୟାଡ଼ାମଙ୍କ ପ୍ରେମ କାହାଣୀ ଏବେ ସାମ୍ନାକୁ ଆସିବା ସହିତ ସବୁଆଡ଼େ ଘୂରି ବୁଲୁଛି।
ଦୁର୍ଘଟଣା ପରେ ଜଣେ ଦାୟିତ୍ବସମ୍ପନ୍ନ ମହିଳା ପୁଲିସ ଅଧିକାରୀ କାହିଁକି ଫେରାର୍ ମାରିଲେ ବୋଲି ପୁଲିସ କର୍ତ୍ତୃପକ୍ଷଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ତଦନ୍ତକାରୀ ଅଧିକାରୀ ସୁନା ମ୍ୟାଡାମ୍ ଓ ଅଜୟଙ୍କ ନିକଟରେ ପହଞ୍ଚିଥିଲେ। ସୁନା ମ୍ୟାଡାମ ତାଙ୍କର ଜଣେ ଭାଇଙ୍କ ଘରେ ଅଜୟ ସହ ଲୁଚିଥିଲେ। ଭାଇ ବି ପୁଲିସ ବିଭାଗରେ କାର୍ଯ୍ୟରତ। ପୂରା ଘଟଣାକ୍ରମରେ ପୁଲିସକୁ ଖୋଜିଥିଲା ପୁଲିସ। ଆଉ ଲୁଚାଇଥିଲା ବି ପୁଲିସ। ଏବେ ସାମ୍ନାକୁ ଆସିଛି ଫେରାର ହେବାପଛର ରହସ୍ୟ। ମିଳିଥିବା ସୂଚନା ଅନୁସାରେ, ଅଜୟ ଜଣେ ଅପରାଧୀ। ପୂର୍ବରୁ ୪୨୦ ମାମଲାରେ ସେ ଜେଲ୍ ଯାଇଥିବା କୁହାଯାଉଛି।
ଅନ୍ୟପକ୍ଷରେ, ଚାଳକ ଅଜୟଙ୍କୁ ଗିରଫ କରି ପୁଲିସ ମଙ୍ଗଳବାର କୋର୍ଟଚାଲାଣ କରିଥିବା ବେଳେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଥିଲା। ତେବେ, ଗାଡ଼ି ଚାଳକ ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ଏସ୍ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ତାଙ୍କୁ ନିଜେ ଗାଡ଼ି ମାଲିକ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ତାଙ୍କ ନାମରେ ୧୮୦, ୧୮୭ ଏମ୍ଭି ଆକ୍ଟରେ ମାମଲା ରୁଜୁ କରାଯାଇଥିବା ଏସ୍ପି ଶ୍ରୀ ପଣ୍ଡା ସୂଚନା ଦେବା ସହ ଆଗକୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି। ଏଠାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ଦାୟିତ୍ବବୋଧକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/g465sf4h6f5hsfhsfhhf.jpg)