ଅବସରପ୍ରାପ୍ତ ଅତିରିକ୍ତ ଡାକ କର୍ମଚାରୀ ସଂଘ ଗଠିତ, ପେନସନ ଦାବି

ନାଚୁଣୀ: ସ୍ଥାନୀୟ କଉଡିଖଣିସ୍ଥିତ ଶ୍ରୀନିଳକଣ୍ଠେଶ୍ବର ମହାଦେବଙ୍କ ମନ୍ଦିରରେ ନାଚୁଣୀ ଡାକଘରର ପୂର୍ବତନ ଡାକ ମାଷ୍ଟର ସତ୍ୟବାଦୀ ପ୍ରଧାନ ଓ ସମାଜସେବୀ ପ୍ରଦୋଷ କୁମାର ଦାସଙ୍କ ମିଳିତ ଆବାହକତ୍ବରେ ଆଜି ଗଙ୍ଗାଧରପୁର ଉପଡାକଘର ଅଧିନସ୍ଥ ଚିଲିକା-ବାଣପୁର ଅଞ୍ଚଳର ଅବସରପ୍ରାପ୍ତ ଅତିରିକ୍ତ ଡାକ କର୍ମଚାରୀ, ଡାକପାଳମାନେ ଏକଜୁଟ ହୋଇଥିଲେ। ବୈଠକରେ ବରିଷ୍ଠ ତଥା ନାଚୁଣୀ ପୋଷ୍ଟ ଅଫିସରୁ ଅତିରିକ୍ତ ଡାକପାଳ ଭାବେ କାର୍ଯ୍ୟକରି ଅବସର ନେଇଥିବା ସତ୍ୟବାଦୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗଙ୍ଗାଧରପୁର ଉପ ଡାକଘର ଅଧିନସ୍ଥ ନାଚୁଣୀ, ସୁନାଖଳା, ସଲପଡିହ, କୁଲେଇ, ବଉଳାବନ୍ଧ ନଇରୀ, ହରିପୁର, ହରିକୁଣ୍ଡବରଡିହ ଶାଖା ଡାକଘରରେ ଅତିରିକ୍ତ ଡାକ କର୍ମଚାରୀ ଓ ଡାକପାଳ ଭାବେ କାର୍ଯ୍ୟକରି ବିଭିନ୍ନ ସମୟରେ ଅବସର ନେଇଥିବା କର୍ମଚାରୀମାନେ ଏଥିରେ ଯୋଗ ଦେଇଥିଲେ। ଭାରତୀୟ ଡାକ ବିଭାଗର ଡାହାଣ ହାତ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଗ୍ରାମୀଣ ଡାକ କର୍ମଚାରୀମାନେ ସ୍ବଳ୍ପ ଦରମାରେ ଦିନ ସାରା ଖଟଣୀ ଖଟି ଡାକ ସେବା ଯୋଗାଇ ଦେଇ ବିନା ପେନସନରେ ଚାକିରିରୁ ଅବସର ନେଇଥାନ୍ତି। କେହି ଏହି ଅତିରିକ୍ତ ଡାକ କର୍ମଚାରୀମାନଙ୍କର ଅବସରକାଳୀନ ଦୁଃଖ ଦୁର୍ଦ୍ଦଶା ବୁଝିନଥାନ୍ତି।

ଏହି ଅତିରିକ୍ତ ଡାକ କର୍ମଚାରୀମାନଙ୍କୁ ଅବସରକାଳୀନ ଭତ୍ତା ସହ ଡାକବିଭାଗ ପେନସନ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁବୈଠକରେ ସର୍ବ ସମ୍ମତ୍ତିକ୍ରମେ ଦାବି ଉପସ୍ଥାପନ କରାଯାଇଥିଲା। ଏ ସଂପର୍କରେ ଏକ ଦରଖାସ୍ତ ଲେଖାଯାଇ ସମସ୍ତଙ୍କର ଦସ୍ତଖତ ସହ ବାଲୁଗାଁ ଡାକ ନିରୀକ୍ଷକ, ଖୋର୍ଦ୍ଧା ଜିଲ୍ଲା ଡାକପାଳ, ଭୁବନେଶ୍ବରସ୍ଥିତ ମହାଡାକପାଳ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖକୁ ପ୍ରେରଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ସର୍ବସମ୍ମତିକ୍ରମେ ‘ଚିଲିକା-ବାଣପୁର ଅବସରପ୍ରାପ୍ତ ଅତିରିକ୍ତ ଡାକ କର୍ମଚାରୀ ସଂଘ’ ନାମରେ ଏକ ସଂଘ ଗଠନ କରାଯାଇଛି। ଏହାର ଆବାହକ ତଥା ଉପଦେଷ୍ଟା ଭାବେ ପ୍ରଦୋଷ କୁମାର ଦାସଙ୍କୁ ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ସତ୍ୟବାଦୀ ପ୍ରଧାନ, ସଂପାଦକ ବିନାୟକ ଶତପଥୀ, ସହ ସଂପାଦକ ଭାବେ ଭ୍ରମରବର ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁଁ ଦାୟିତ୍ବ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର