ଦ୍ୱାର ମୁହଁକୁ ପହଂଚି ପାରୁନି ରାଜସ୍ୱ ରଥ

ଖୋର୍ଦ୍ଧା: କରୋନା କଟକଣା ଯୋଗୁଁ ଲୋକମାନେ ତହସିଲ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିପାରୁନାହାନ୍ତି । ଅପରପକ୍ଷରେ ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାମ ହେଉଥିବାରୁ ଠିକଣା ସମୟରେ ରାଜସ୍ୱ ମାମଲାର ଫୈସଲା ହୋଇପାରୁନାହିଁ । ଫଳରେ ହଜାର ହଜାର ଆର୍ଓଆର୍, ମ୍ୟୁଟେସ୍ନ, ଜାତି ପ୍ରମାଣପତ୍ର, ଜମି ପଟ୍ଟା ଆଦି ତହସିଲ କାର୍ଯ୍ୟାଳୟରେ ପଡ଼ିରହୁଛି । ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଘର ନିକଟକୁ ଯାଇ ପ୍ରମାଣପତ୍ର, ପଟ୍ଟା ଆଦି ପ୍ରଦାନ କରିବା ଅଭିଯାନ ଆରମ୍ଭ କରିଥିଲେ । ପରିସଂଖ୍ୟାନକୁ ଦେଖିଲେ ଏହି ଅଭିଯାନର ସୁଫଳ ଜମି ପଟ୍ଟା ଆଦି ମାମଲାରେ ମିଳିଥିବା ବେଳେ ଆୟ, ଉତ୍ତରାଧିକାରୀ, ଜାତି ଆଦି ପ୍ରମାଣପତ୍ରରେ ସେହି ପରିମାଣରେ ମିଳିନଥିବା ଜଣାଯାଉଛି ।

ରାଜସ୍ୱ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଡିସେମ୍ବର ୨୦୨୦ ଶେଷ ସୁଦ୍ଧା ୨୭, ୨୪୫ ମ୍ୟୁଟେସନ୍ ମାମଲା, ୨୭୪୦ ଓଏଲ୍ଆର୍ (୮-କ), ୧୨୭ଟି ଓଏଲ୍ଆର୍ (୧୯-୧)ଗ ମାମଲା ଜିଲ୍ଳାର ରାଜସ୍ୱ ବିଭାଗ ନିକଟରେ ବିଚାରଧୀନ ରହିଥିଲା । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହା ୨୯,୧୬୫ଟି ମ୍ୟୁଟେସନ୍ ମାମଲା, ୨୬୬୦ ଓଏଲ୍ଆର୍ (୮-କ), ୧୩୪ଟି ଓଏଲ୍ଆର୍ (୧୯-୧)ଗ ମାମଲାକୁ ବୃଦ୍ଧି ପାଇଥିଲା । ଜୁଲାଇ ୨ ତାରିଖ ସୁଦ୍ଧା, ୧୬,୭୧୦ ଟି ମ୍ୟୁଟେସନ୍ ମାମଲା, ୪୯୩ଟି ଓଏଲ୍ଆର୍ (୮-କ), ୯୭ଟି ଓଏଲ୍ଆର୍ (୧୯-୧)ଗ ମାମଲା ବିଚାରାଧୀନ ରହିଛି । ସେହିଭଳି ୫୦,୦୭୧ଟି ଉତ୍ତରାଧିକାରୀ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, କରାଦାନକ୍ଷମତା ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଆଦି ଅନ୍ୟାନ୍ୟ ମାମଲା ଓ ୩୩,୪୦୦ ବ୍ୟାକ୍ଲଗ୍ ମାମଲା ପଡ଼ିରହିଛି ।

ସମସ୍ତ ମାମଲାର ସଂଖ୍ୟାକୁ ଆକଳନ କଲେ, ଜୁଲାଇ ୨ ତାରିଖ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୯୮ ହଜାର ୩୨୦ଟି ଆବେଦନ ହୋଇଥିଲା । ଏହା ମଧ୍ୟରୁ ୩୩, ୩୫୪ଟି ଫର୍ମ-୩ ଆବେଦନକୁ ଖାରଜ କରାଯାଇଥିବା ବେଳେ ୬୪, ୮୮୫ଟି ଫର୍ମ-୩ ବ୍ୟତୀତ ଅନ୍ୟ ଆବେଦନକୁ ସଠିକ୍ ତଥ୍ୟ ଆଦି ପ୍ରଦାନରେ ତ୍ରୁଟି ରହିଥିବା କାରଣରୁ ଖାରଜ କରାଯାଇଛି । ମୋଟାମୋଟି ଭାବେ ମୋଟ ଆବେଦନର ୩୨.୯୯ ପ୍ରତିଶତ ରାଜସ୍ୱ ସମ୍ପର୍କିତ ଆବେଦନକୁ ଖାରଜ କରାଯାଇଛି । ସମଗ୍ର ରାଜ୍ୟରେ ଏହି ଖାରଜ ପ୍ରତିଶତରେ ଦେଓଗଡ଼ ପରେ ଖୋର୍ଦ୍ଧା ଜିଲ୍ଲା ତୃତୀୟ ସ୍ଥାନରେ ଥିବା ବେଳେ ସଂଖ୍ୟାରେ ଗଂଜାମ ଜିଲ୍ଲା ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର