ଭୋଗରାଇ: ସରକାରୀ କାଗଜପତ୍ରରେ ୨ ବର୍ଷ ହେଲା ବନ୍ଦ ହୋଇଯାଇଛି ସ୍କୁଲ୍‌। ସ୍କୁଲ୍‌ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅନ୍ୟତ୍ର ଯୋଗ ଦେଇସାରିଛନ୍ତି। ପାଖ ସ୍କୁଲ୍‌ରେ ନାମ ଲେଖାଇବାକୁ କହି ଶିକ୍ଷା ବିଭାଗ ନିଜ ଦାୟିତ୍ବ ସାରି ଦେଇଛି। ହେଲେ ନିଜ ଗାଁ ସ୍କୁଲ୍‌ ବନ୍ଦ ହେବା ସପକ୍ଷରେ ନାହାନ୍ତି ଗ୍ରାମବାସୀ। ଦୁଇ ବର୍ଷର ଲଢ଼େଇ ପରେ ବି ସରକାର ସ୍କୁଲ୍‌ ନ ଖୋଲିବାରୁ ଶେଷର ସେମାନେ ନିଜ ଗାଁ ସ୍କୁଲ୍‌ ଖୋଲି ପାଠପଢ଼ା ଆରମ୍ଭ କରିଛନ୍ତି। ୨ ଦିନ ହେଲା ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୨ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ଯାଉଥିବା ବେଳେ ଗ୍ରାମର ବେକାର ଯୁବକ ଯୁବତୀ ସାଜିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଶିକ୍ଷା ବିଭାଗର ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୁମ୍ଭୀରଗଡ଼ି ପଞ୍ଚାୟତ ବାଉଁଶଖଣା ଗାଁ’ରେ।

Advertisment

ଏହି ଗାଁ’ର ଅଧିକାଂଶ ଲୋକ ମତ୍ସଜୀବୀ ଓ ଦିନମଜୁରିଆ। ପ୍ରତିବର୍ଷ ସୁବର୍ଣ୍ଣରେଖା ନଦୀ ବନ୍ୟାରେ ପ୍ରଭାବିତ ଏହି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରାଯାଇଛି। ତେବେ ଗାଁରେ ୧୯୦୨ ମସିହାରୁ ସ୍ଥାପିତ ହୋଇଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟକୁ ସରକାର ୨ ବର୍ଷ ତଳେ ଆଗପଛ ବିଚାର ନକରି ବନ୍ଦ କରିଦେଲେ। ସ୍କୁଲ୍‌ ପରିଚାଳନା କମିଟି ଓ ଗ୍ରାମବାସୀ ଏହାର ପ୍ରତିବାଦରେ ୨ ବର୍ଷର ଲଢ଼େଇ ପରେ ବି କିଛି ଫଳ ହେଲାନି। ତେଣୁ ବାଧ୍ୟହୋଇ ଗତ ସୋମବାରଠାରୁ ଗ୍ରାମବାସୀ ଏହି ବିଦ୍ୟାଳୟକୁ ଖୋଲି ପାଠପଢ଼ା ଆରମ୍ଭ କରିଛନ୍ତି। ଗ୍ରାମର ବଳରାମ ବେହେରା, ଧନଞ୍ଜୟ ବଢ଼ାଇ ଓ କବିତା ଜେନା ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ଗାଁ’ରୁ ମାଗିଯାଚି ଚାଉଳ ଓ ପରିବା ଯୋଗାଡ଼ କରି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ରାନ୍ଧିବାରେ ସହାୟତା କରୁଛନ୍ତି ବନ୍ଦ ପୂର୍ବରୁ ଏଠାରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଦୁଇ ବିଧବା ମହିଳା କନକଲତା ମାଝୀ ଓ ଝୁନାରାଣୀ ମାଝୀ।

ତୁରନ୍ତ ସରକାର ଏହି ବିଦ୍ୟାଳୟଟିକୁ ପୂର୍ବ ମାନ୍ୟତା ଫେରାଇ ନଦେଲେ ଆନ୍ଦୋଳନ ହେବ ଓ ଆଗାମୀ ସାଧାରଣ ନିର୍ବାଚନରେ ସମୂହ ଭୋଟ୍‌ ବର୍ଜନ କରାଯିବ ବୋଲି ମନ୍ମଥ ତରାଇ, ବିଭୁତିଭୂଷଣ ମାଝୀ, ରଞ୍ଜନ ମାଝୀ, ପଶୁପତି ବାରିକ, ପଦ୍ମଲୋଚନ ମାଝୀ, ସଞ୍ଜୟ ବଢ଼ାଇ, ସୂର୍ଯ୍ୟକାନ୍ତ ସାହୁ, ଚନ୍ଦନ ମାଝୀ, ତ୍ରିଲୋଚନ ମାଝୀ, ବଳରାମ ବେହେରା, ଉତ୍ତମ ମାଝୀ, କମଳ ଲୋଚନ ମାଝୀ, ପ୍ରଶାନ୍ତ ମାଝୀ, ବସନ୍ତ ବେହେରା, କାନୁଚରଣ ବେହେରା, ସୁନୀଲ ମାଝୀ, ସୁଶାନ୍ତ ମାଝୀ ଓ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ବାବଦରେ ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ କମଳଲୋଚନ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ବିଦ୍ୟାଳୟକୁ ପୁନଃ ଖୋଲିବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି।