ଜୟପୁର: ଯଦି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମ୍ମୁଖ ନାମଫଳକ ପରିବର୍ତ୍ତନ ହୋଇ ନଥିଲେ ହେଁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଛି। ରେଜିଷ୍ଟ୍ରାର ନିଯୁକ୍ତି ପରେ ରାଜ୍ୟସରକାର ଚୁପ ରହିଛନ୍ତି। ଅପରପକ୍ଷରେ ସଂପ୍ରତି ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକାରୀ କରିବାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏ ନେଇ ସେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ସୁଶ୍ରୀସାଗରିକା ଷଡଙ୍ଗୀଙ୍କ ସହ ଆଲୋଚନା କରିଛନ୍ତି। ସଂପ୍ରତି ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକାରୀ କରିବା ପାଇଁ ଅସ୍ଥାୟୀ କ୍ୟାମ୍ପସ୍ ଓ ଆଗାମୀ ଦିନର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣକୁ‌ ନେଇ ‌ହୋଇଛି ଆଲୋଚନା।

Advertisment

ଉପରକୋଲାବ ଜଳସେଚନ ପ୍ରକଳ୍ପର ଖାଲି ପଡ଼ିଥିବା ବାରିଣୀପୁଟ ଓସହର ମଧ୍ୟରେ ଥିବା ଇରିଗେସନ୍ କ‌ଲୋନୀର କୋଠା ଗୁଡିକୁ ଅସ୍ଥାୟୀ କ୍ୟାମ୍ପସ୍ ଭାବେ ନେବା ପାଇଁ ରେଜିଷ୍ଟ୍ରାରଙ୍କୁ ଜିଲ୍ଲାପ୍ରଶାସନକୁ ଅନୁରୋଧ ଚିଠି କରିବାକୁ ନେଇ ହୋଇଛି ନିଷ୍ପତି । ସେଭଳି ଗତ କିଛି ଦିନ ତଳେ ରଣ୍ଡାପାଲ୍ଲୀ ନିକଟରେ ଥିବା ସରକାରୀ ପଲିଟେକ୍ନିକ୍ କଲେଜ ପାର୍ଶ୍ବରେ ଥିବା ୭୨ଏକର ଜମିକୁ ବୁଲି ତହସିଲଦାର, ଉପଜିଲ୍ଲାପାଳ ଓ ବିଧାୟକ ଦେଖିଥିଲେ। ବିଶ୍ବବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କରିବା ପାଇଁ ଏହି ଜମି ଦେବା ପାଇଁ ତହସିଲଦାରଙ୍କୁ ରେଜିଷ୍ଟ୍ରାର  ଚିଠି କରିବାକୁ ନେଇ  ଆଲୋଚନା କରାଯାଇଥିଲା। ଆସନ୍ତାକାଲି ହିଁ ରେଜିଷ୍ଟ୍ରାର ଏହି ଚିଠି ତହସିଲଦାରଙ୍କୁ ଦେବେ। ଏହାର ନକଲ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଦେବେ। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ଆରମ୍ଭର ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ପ୍ରସ୍ତୁତି କରାଯାଉଥିବା ବେଳେ ରାଜ୍ୟସରକାର ଏ ପର୍ଯ୍ୟନ୍ତ ୪ଟି ବୈଧାନିକ ପଦବୀ ନିଯୁକ୍ତି ଦେଇ ନାହାନ୍ତି।

ଏହି ସ୍ଥିତିରେ ସଂପ୍ରତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ୪୦ରୁ ଉର୍ଦ୍ଧ୍ବ ଡିଗ୍ରୀ କଲେଜର ସ୍ବୀକୃତି ବିକ୍ରମଦେବ ବିଶ୍ବବିଦ୍ୟାଳୟ ଦେବାରେ ବିଳମ୍ବ ହେବା ସମ୍ଭବନା ଦେଖାଦେଇଛି। ସଂପ୍ରତି ବିଶ୍ବବିଦ୍ୟାଳୟର ନୂଆ ଆଡମିସନ୍ ପ୍ରକ୍ରିୟାରେ ବିଳମ୍ବ ହେବ ନାହିଁ ବୋଲି କହିଛନ୍ତି ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର। ସଂପ୍ରତି ସବୁ ସ୍ନାତକ ଓସ୍ନାତକୋତ୍ତର ବିଭାଗର ଆଡମିସନ୍ କରାଯିବ। ଏହାରି ମଧ୍ୟରେ ରାଜ୍ୟସରକାର ସଂପ୍ରତି ୪ଟି ଯାକ ବୈଧାନିକ ଅଧିକାରୀ ପଦବୀ ନିଯୁକ୍ତି ପାଇଁ ପ୍ରକ୍ରିୟାରେ ରହିଛି, ଅଳ୍ପ ଦିନ ମଧ୍ୟରେ ଏସବୁ ନିଯୁକ୍ତି ହେବ ବୋଲି କହିଛନ୍ତି ରେଜିଷ୍ଟ୍ରାର। ସେଭଳି ବିଶ୍ବବିଦ୍ୟାଳୟର ସମ୍ମୁଖ ବୋର୍ଡ ଅଳ୍ପ କିଛି ଦିନ ମଧ୍ୟରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ରେଜିଷ୍ଟ୍ରାର।