ତେଲକୋଇରେ ମୁଖାପିନ୍ଧା ଲୁଟେରାଙ୍କ ଆତଙ୍କ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ୫ ମୁଖାଧାରୀ ଚୋର ଆତଙ୍କ ଖେଳାଇଛନ୍ତି। ୨୩ ତାରିଖ ରାତିରେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କନ୍ତଲେଇ ଗ୍ରାମରେ ୫ ମୁଖାଧାରୀ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା ଓ ୪ ଭରି ସୁନା ଅଳଙ୍କାର ଚୋରି କରିଥିବା ବେଳେ ଗତକାଲି ରାତିରେ ତେଲକୋଇ ସଦର ମହକୁମାସ୍ଥିତ ବଜାର ଅଞ୍ଚଳ ବାରିକ ସାହିରେ ପୁଣି ୫ ମୁଖାଧାରୀ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳେ ଚୋର ଦଳ ଚୋରି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଘରର ଜଣେ ସଦସ୍ୟ ପରିଶ୍ରା କରିବାକୁ ବାହାରକୁ ଆସିଥିଲେ।

ତେବେ ଘର ନିକଟରେ କିଏ କିଏ ବୋଲି ପାଟି କରିବାରୁ ସେମାନେ ଦୌଡ଼ି ପଳାଇଥିଲେ। ତେଲକୋଇ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ୫ ଜଣ ମୁଖାଧାରୀ ବ୍ୟକ୍ତି ଚୋରି କରିବାକୁ ଉଦ୍ୟମ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାତ୍ରୀ କାଳୀନ ପାଟ୍ରୋଲିଂକୁ ଜୋରଦାର କରିବାକୁ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର