ବ୍ରହ୍ମପୁର: ଏମ୍କେସିଜି ବଡ଼ ଡାକ୍ତରଖାନା ସେଣ୍ଟ୍ରାଲ୍ ଗୋଦାମରୁ ଔଷଧ ଚୋରି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ବଡ଼ ଡାକ୍ତରଖାନା ରେଜିଷ୍ଟ୍ରାର୍ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ବରେ ଆଜି ଏକ ୪ଜଣିଆ କମିଟି ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି। କିଭଳି ଓ କେଉଁ ପରିସ୍ଥିତିରେ ପୁରୁଣା ଇନ୍ଡୋର୍ କୋଠାର ପରିତ୍ୟକ୍ତ ଘରକୁ ଇଂଜେକ୍ସନ୍ ଗଲା ତାହା ତଦନ୍ତ କରାଯାଇଛି। ଏ ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ବଡ଼ ଡାକ୍ତରଖାନା ଅଧୀକ୍ଷକଙ୍କ ନିକଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି। ଏହି କମିଟି ଆଜି ଡ୍ରଗ୍ ହାଉସ୍ ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ଡ୍ରଗ୍ ହାଉସ୍ର ସୁରକ୍ଷା କର୍ମୀ, ଫାର୍ମାସିଷ୍ଟ୍, ଡାଟା ଏଣ୍ଟ୍ରିଅପଟେର୍ଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରି ବୟାନ୍ ରେକର୍ଡ଼ କରିଥିଲେ। ଔଷଧ ଚୋରି ଘଟଣା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ଦିଗ ଉପରେ ପୁଲିସ ତଦନ୍ତ କରୁଥିବା ବେଳେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଏହି କମିଟି ଗୁରୁତ୍ବାରୋପ କରିଛି।
ଗତ ୬ତାରିଖରେ ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ ଏକ ମୋବାଇଲ୍ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ଯାଞ୍ଚ କରୁଥିଲା। ଏହି ସମୟରେ ପୁରୁଣା ଇନ୍ଡୋର୍ କୋଠା ଶିଶୁ ବିଭାଗର ଏକ ଭଙ୍ଗା କୋଠରିରୁ ଏକ ବସ୍ତା ଜବତ କରିଥିଲା। ସେହି ବସ୍ତାରେ ୨୫ ପ୍ୟାକେଟ୍ ଇଂଜେକ୍ସନ୍ ଥିବା ଜଣାପଡ଼ିଥିଲା। ସେହି ଇଂଜେକ୍ସନ୍ ଆଣ୍ଟିବାୟୋଟିକ୍ (ସେଫ୍ଟ୍ରିଆକ୍ସଜୋନ୍ ଆଣ୍ଡ୍ ସଲ୍ବାକ୍ଟମ୍) ବୋଲି ଜଣାପଡ଼ିଥିଲା। ସେହି ଭଙ୍ଗା କୋଠରିରେ କିଏ ଏତେ ପରିମାଣ ଇଂଜେକ୍ସନ୍ ରଖିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ଏହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହୋଇଥିବା ବେଳେ ତାହା ବଡ଼ ଡାକ୍ତରଖାନା ପାଇଁ ଏକ ଘରୋଇ ସଂସ୍ଥାରୁ କ୍ରୟ କରାଯାଇଥିଲା। ଏହି ଇଂଜେକ୍ସନ୍ ରୋଗୀଙ୍କୁ ଦେବା ବଦଳରେ ସେଠାକୁ କେମିତି ଗଲା? ଏ ନେଇ କାହା ପାଖରେ କିଛି ଉତ୍ତର ନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସୂଚନା ମିଳିଛି।