କେନ୍ଦ୍ରମନ୍ତ୍ରୀ ବଖାଣିଲେ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତା

ଜମନକିରା/ ଫାସିମାଲ: ସମ୍ବଲପୁର ଜିଲ୍ଲା ଫାଶିମାଲ ଠାରେ ଭାଜପା ପକ୍ଷରୁ ଆୟୋଜିତ ଜନସମ୍ପର୍କ ଅଭିଯାନ ମାଧ୍ୟମରେ ପୂରାତନ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳତା ବଖାଣିଥିଲେ। ସେ କହିଥିଲେ ୨୦୦୪ ମସିହାରେ କୁଚିଣ୍ଡା ମାଟି ର ଗରିବ, ଦଳିତ, ଖଟିଖିଆ ଲୋକଙ୍କ ଆଶୀର୍ବାଦରୁ ଦେବଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇ ରାଜନୀତିରେ ସଫଳତା ପାଇ ଆଗକୁ ବଢିଥିଲେ। ଏ ମାଟି ମୋତେ ମଣିଷ କରି ଗଢ଼ି ତୋଳିଛି।

ତେଣୁ ଏ ମାଟି ତାଙ୍କୁ କେନ୍ଦ୍ର ସରକାରକୁ ପଠାଇ ଥିବାରୁ ଏ ମାଟି କୁ ଆଦୌ ଭୁଲି ପାରିବି ନାହିଁ ବୋଲି କହି ମୋଦୀ ସରକାର ଗରିବ, ଦଳିତ, ନିଷ୍ପେସିତ ମାନଙ୍କ ସରକାର ବୋଲି କହିଥିଲେ। ତେଣୁ ମାନ ଅଭିମାନ ଓ ରାଗରୋଷକୁ ଭୁଲି ନରେନ୍ଦ୍ର ମୋଦୀଙ୍କୁ ପୁଣି ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ କରାଇ ଏକ ସଶକ୍ତ ରାଷ୍ଟ୍ର ଗଠନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକଙ୍କ ପୌରହିତ୍ୟରେ ହୋଇଥିବା ବୈଠକରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଦେବଗଡ ବିଧାୟକ ସୁବାସ  ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପ୍ରମୁଖ ସାଂଗଠାନିକ ଆଲୋଚନା କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ମୁଦୁଲି, ଜିଲ୍ଲାପରିଷଦ ସଭ୍ୟ ଦିବ୍ୟରାଜ କିଷାନ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ନାଏକ, ଉପାଧ୍ୟକ୍ଷ ସଞ୍ଜୟ ଦାସ, ମଣ୍ଡଳ ସଭାପତି ଆମୋଘ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପଟେଲ, ଉପେନ୍ଦ୍ର ପଟେଲ, ପପୁନ ସିଂ ଠାକୁର, ସୁନୀଲ ଦାଶ, ବୀରେନ୍ଦ୍ର ଚୌଧୁରୀ, ଯୁବନେତା ପିଙ୍କୁ ପାଣି, ରମେଶ ସାହୁ, ଦୀନେଶ ସାହୁ, ଜେମାଦେଇ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ଓ କୁଚିଣ୍ଡା ଏନଏସିର ବହୁ କର୍ମୀ ଯୋଗଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭାଜପାର ବିକାଶ ଧାରା ଓ ମୋଦି ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ଓ ବିଭିନ୍ନ ଦଳରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଜିଲ୍ଲା ଉପସଭାପତି ଶୁଶିଲ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର