ସମ୍ବଲପୁର,: ବିଗତ ବର୍ଷ ଭଳି ଏଥର ବି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳମୂର୍ତ୍ତି ଦର୍ଶନ କରିବା ସହ ମହାଆଳତି କରିଛନ୍ତି। ଏହା ସହିତ ଆଜି ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ନିଜର ପୁରୁଣା ବନ୍ଧୁ, ସହରର ବୁଦ୍ଧିଜୀବୀ, ଦଳୀୟ କର୍ମୀ, ସମର୍ଥକଙ୍କୁ ଭେଟି ନିଜ ପୁରୁଣା ସଂପର୍କକୁ ଆହୁରି ମଜଭୁତ କରିଛନ୍ତି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିବା ବେଳେ ମାନସିକ ଦୀପ ଜାଳିଥିଲେ।

Advertisment

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିବ-ପାର୍ବତୀ ଦେବଦମ୍ପତିଙ୍କ ଅନନ୍ୟ ପରମ୍ପରାର ପର୍ବ ହେଉଛି ଶୀତଳଷଷ୍ଠୀ। ଏହି ପର୍ବରେ ସାମିଲ ହେବା ପରମ ସୌଭାଗ୍ୟ । ମୁଁ ଯେତେବେଳେ ଏହି ପର୍ବରେ ସାମିଲ ହୁଏ, ମନ ଆନନ୍ଦିତ ହୁଏ। ଶୀତଳଷଷ୍ଠୀ ଏକ ଲୋକପର୍ବ ଓ ଧାର୍ମିକ ପର୍ବ । ଭାଇଚାରା ଓ ସଂପର୍କକୁ ମଜଭୁତ କରିବାର ଦିନ । ଐତିହାସିକ ଓ ସଂସ୍କୃତି ସଂପନ୍ନ ସମ୍ବଲପୁର ସହରରେ ଏହି ଲୋକପର୍ବ ପୁରୁଣା ବନ୍ଧୁ ଓ ସଂପର୍କୀୟମାନଙ୍କୁ ଏକାଠି କରିବାର ଏକ ଅବସର ଦେଇଛି । ଆଜି ମୁଁ ମଧ୍ୟ ଅନେକ ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଆନନ୍ଦିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଠାକୁରପଡ଼ା, ଶାନ୍ତି ନଗର, ଜଗନ୍ନାଥ କଲୋନି, କୁଲୁଥକାନି, ସିନ୍ଦୁରପଙ୍କ, ଅଇଁଠାପାଲି, ଦୁର୍ଗା ମଙ୍ଗଲମ୍, ଧର୍ମଶାଳା କ୍ଷେତରାଜପୁର, ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡ଼ା ଓ ହୀରାକୁଦରେ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବା ସହ କନ୍ୟାପକ୍ଷର ମାତାପିତାଙ୍କୁ ଭେଟିଥିଲେ।

ଏଥି ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିନ୍ଦୂରପଙ୍କସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ କୁଲୁଥକାନି ଠାରେ ଶ୍ରୀ କଳ୍ପେଶ୍ୱର ବାବା ମନ୍ଦିର ଦର୍ଶନ କରିଥିଲେ। ଏସବୁ ବ୍ୟତୀତ ସେ ଧନୁପାଲି ସରସ୍ବତୀ ଶିଶୁ ମନ୍ଦିରରେ ପଶ୍ଚିମବଂଗ ଓ ଓଡ଼ିଶାର ରାଷ୍ଟ୍ରୀୟ ସ୍ବୟଂସେବକମାନଙ୍କୁ ଶାରୀରିକ, ବୌଦ୍ଧିକ ତଥା ସଂଘ କର୍ଯ୍ୟ ପାଇଁ ଆବଶ୍ୟକୀୟ ଗୁଣାବଳୀର ବିକାଶ ସଂପର୍କରେ ପରାମର୍ଶ ଦେଇଥି‌ଲେ। ଅପରାହ୍‌ଣରେ ଜିଲ୍ଲା ବିଜେପିର କୋର୍‌ କମିଟିର ସଦସ୍ୟଙ୍କ ସହିତ ସାଂଗଠନିକ ଆଲୋଚନାକରି ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଆକ୍ରମଣରେ ଗୁରୁତର ଆହତ ହୋଇଥିବା ହନୁମାନ ଜୟନ୍ତୀ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କୁ ତାଙ୍କ ବାସଭବନରେ ଭେଟି ଘଟଣା ସଂପର୍କରେ ଆଲେଚାନା କରିଥିଲେ।

ଅପରପକ୍ଷରେ ଜିଲ୍ଲାର କେତେକ ବୁଦ୍ଧିଜୀବୀ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତକରି ସମ୍ବଲପୁର ସହରରେ ଘଟିଥିବା ଅଭାବନୀୟ ଘଟଣା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଆଭ୍ୟନ୍ତରୀଣ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ ଏହି ଅବସରରେ ଫାଟକ ମହାମାୟା ମନ୍ଦିର ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ମହାକାଳେଶ୍ବର ବାବାଙ୍କ ବିବାହ ଉତ୍ସବର କନ୍ୟାପିତା ଗିରିଜା ସାହୁଙ୍କ ଅଇଁଠାପାଲି ବାସଭବନରେ ମଧ୍ୟାହ୍ନ ଭୋଜନ କରିଥିବା ବେଳେ ଦୁର୍ଗା ମଂଗଲମ୍‌ରେ ରାତ୍ର ଭୋଜନ କରି ନିଜ ସଂପର୍କକୁ ସୁଦୃଢ଼ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମ ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଂଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟକ ରବି ନାୟକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍‌ସିଏଲ୍‌ ଅତିଥିଶାଳାରେ ରାତ୍ରିଯାପନ ପରେ ଆସନ୍ତାକାଲି ୨୬ ତାରିଖ ସକାଳେ ଆଠମଲ୍ଲିକରେ ଆୟୋଜିତ ବିଶାଳ ଜନସମାବେଶରେ ସାମିଲ ହେବା ଏଠାରୁ ବାହାରିଯିବେ।