ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରେ ଗତ ୧୮ ତାରିଖରେ ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ବାହୁଡ଼ା ସାହୁଙ୍କୁ ପିଟି ପିଟି ହତ୍ୟା ଘଟଣାର ଛାତିଥରା ଭିଡ଼ିଓ ସାମ୍ନାକୁ ଆସିଛି। ଏକ ଖୁଣ୍ଟରେ ବାହୁଡ଼ାଙ୍କୁ ବାନ୍ଧି ତାଙ୍କ ପିଠିକୁ ଅତି ଅମାନୁଷିକ ଭାବେ ପିଟାଯାଉଥିବା ସହ ଶତାଧିକ ଲୋକ ଦେଖଣାହାରୀ ସାଜିଛନ୍ତି। ଛାଡ଼ିଦେବା ଲାଗି ବାହୁଡ଼ା କାକୁତିମିନତି ହେଉଥିଲେ ମଧ୍ୟ, ଗ୍ରାମର କିଛି ଲୋକ ତାଙ୍କ ପ୍ରତି ଏଭଳି ଅମାବନୀୟ ଆଚରଣ ଦେଖାଇବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛନ୍ତି। ବାହୁଡ଼ା ଏମିତି କଣ ଜଘନ୍ୟ ଅପରାଧ କରିପକାଇଲେ ଯେ, ତାଙ୍କୁ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିବା ପର୍ଯ୍ୟନ୍ତ ଚରମ ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
ଏହି ଘଟଣାରେ ପୁଲିସ ଗତକାଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଆଉ ଦୁଇଜଣ ଅଭିଯୁକ୍ତ ତଥା ଉକ୍ତ ଗ୍ରାମର ଡ୍ରାଇଭର୍ ଗୌଡ଼ ଓ ବିମଳ ରାୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ପୁଲିସ ଏହି ଘଟଣାକୁ ଅତି ଗୁରୁତ୍ବର ସହ ଗ୍ରହଣ କରିଛି। ଏଥିରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ଥିବାରୁ ସେମାନଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପୁଲିସ ଗ୍ରାମର ପରିସ୍ଥିତି ଉପରେ ନଜର ରଖିଥିବା ବେଳେ କିଛି ଅଭିଯୁକ୍ତ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି।
ବାହୁଡ଼ା ଗତ ୩ ଦିନ ହେଲା ଶିକୁଳା, ସମା ଓ ଚିଙ୍ଗୁଡ଼ିଘାଇ ଗ୍ରାମରେ ବୁଲୁଥିଲେ। ଗତ ଗୁରୁବାର ଭୋର୍ରେ ସେ ଚିଙ୍ଗୁଡ଼ିଘାଇ ଗ୍ରାମ ନିକଟରେ ବୁଲୁଥିବା ବେଳେ ଲୋକମାନେ ତାଙ୍କୁ ଚୋର ବୋଲି ସନ୍ଦେହ କରି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଦେଇଥିଲେ। ଆଉ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଶବକୁ ପ୍ରାଥମିକ ବିଦ୍ୟାଳୟ ସାମ୍ନା ତେନ୍ତୁଳି ଗଛ ନିକଟରେ ଫୋପାଡ଼ି ପଳାଇଥିଲେ