ରେଢ଼ାଖୋଲ: ରେଢ଼‌ାଖୋଲ ଥାନା ଅଞ୍ଚଳରେ ସ୍ବାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ରେଢ଼ାଖୋଲ ଅଞ୍ଚଳରେ ମିସ୍ତ୍ରୀ ଭାବରେ କାର୍ଯ୍ୟକରୁ ଥିବା ଶ୍ଚିମବଙ୍ଗ ରାଜ୍ୟର ଅବଦୁଲ ସେଖ ତାଙ୍କ ସ୍ତ୍ରୀ ପଞ୍ଚଖଣ୍ତା ସାହିର ସାଲମି ମିଞ୍ଜ (୩୫)ଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ମୃତା ସାଲମି ମିଞ୍ଜ ପୁର୍ବରୁ ବିବାହିତା ଥିବା ବେଳେ ତାଙ୍କର ଗୋଟିଏ ପୁଅ (୧୧) ଓ ଝିଅ (୮) ଥିବା ମଧ୍ୟ ଜଣାପଡିଛି। ସାଲମି ପ୍ରଥମ ସ୍ବାମୀର ହାତ ଛାଡି ଦ୍ବିତୀୟ ସ୍ବାମୀ ଅବଦୁଲକୁ ୩ ବର୍ଷ ତଳେ ବିବାହ କରିଥିଲା।

Advertisment

ଉଭୟ‌େ ସ୍ବାମୀ ସ୍ତ୍ରୀ ଭାବରେ ଅନୁଗୁଳ ଜିଲ୍ଲାର ବାଗଡ଼ିଆ ଅଞ୍ଚଳରେ ରହିଆସୁଥିବା ବେଳେ ତାଙ୍କର ଏକ ୨ବର୍ଷର  ପୁତ୍ର ସନ୍ତାନ ମଧ୍ୟ ଅଛି। ଏମାନେ ୪ ଦିନ ତଳେ ରେଢ଼ାଖୋଲ ଆସି ହଳଦୀଘାଟ ନିକଟ ରଥତୈଲା ଠାରେ ଏକ ଭଡ଼ାଘରେ ରହିଥିଲେ। ଗତକାଲି ରାତ୍ରିରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅବଦୁଲ ଏକ କାଠ ଫାଳିଆରେ ତାର ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ସାଲମିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଅଭିଯୁକ୍ତ ସ୍ବାମୀ ଅବଦୁଲ ଘଟଣାସ୍ଥଲରୁ ନିଜ ଦୁଇବର୍ଷର ପୁତ୍ର ସନ୍ତାନକୁ ଧରି ଫେରାର ହୋଇଯାଇ ଥିଲା। ସକାଳୁ ଘର କବାଟ ଦୀର୍ଘ ସମୟ ଧରି ବନ୍ଦ ରହିବାରୁ ପଡ଼ୋଶୀ ମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲି ସାଲମି ମିଞ୍ଜର ମୃତ ଦେହ ଉଦ୍ଧାର କରିଥିଲେ ଓ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।