ସୁକିନ୍ଦା ଜଗନ୍ନାଥ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ନେଇଗଲେ ଦୁର୍ବୁତ୍ତ

ଯାଜପୁର/ସୁକିନ୍ଦା: ଜଗନ୍ନାଥ ମନ୍ଦିରରୁ ଚୋରି। ଗତକାଲି ରାତିରେ ସୁକିନ୍ଦାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବାର ଜଣାପଡିଛି ।  ଆଜି ଭୋର ସମୟରେ ମନ୍ଦିରର ପୂଜକ ସକାଳ ଧୂପ ନୀତି ପାଇଁ ମନ୍ଦିରକୁ ଆସିବା ପରେ ଏହା ଜଣାପଡ଼ିଥିଲା। ପୂଜା ପାଇଁ ଭିତରକୁ ଯିବା ପରେ ମନ୍ଦିରର ମୁଖ୍ୟ ତାଲା ଭଙ୍ଗାଯାଇଥିବା ଦେଖିଥିଲେ ପୂଜକ।ଏହା ଦେଖିବା ପରେ ସେ ତୁରନ୍ତ ଏ ବିଷୟରେ ଦେବୋତ୍ତର ବିଭାଗର ସ୍ଥାନୀୟ ଅଧିକାରୀ ତଥା ସୁକିନ୍ଦାଗଡ଼ସ୍ଥିତ ରାଜସ୍ୱ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ପରେ ରାଜସ୍ୱ ଅଧିକାରୀଙ୍କ ଅଭିଯୋଗ ଆଧାରରେ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଜଣାପଡ଼ିଛି କି ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟ କବାଟର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ନୂଆ ପୁରୁଣା ଦୁଇଟି ଦାନ ହୁଣ୍ଡିକୁ ନେଇ ଯାଇଛନ୍ତି। ନୂଆ ଦାନହୁଣ୍ଡିର ତାଲା ଭାଙ୍ଗି ତା’ ଭିତରେ ଥିବା ଅର୍ଥ ଓ ଦାନ ସୁତ୍ରରୁ ମିଳିଥିବା ଅଳଙ୍କାରକୁ ନେଇଯିବା ସହ ମନ୍ଦିର ପରିସରରେ ଥିବା ରାମମନ୍ଦିର ପଛପାଖରେ ଏହାକୁ ଦୁର୍ବୁତ୍ତମାନେ ଫିଙ୍ଗିଦେଇଥିବା ଦେଖାଯାଇଛି। ହେଲେ ପୁରୁଣା ଦାନବାକ୍ସର ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।

ପୁରୁଣା ଦାନବାକ୍ସଟି ଜଗନ୍ନାଥ ମହାପ୍ରଭୁଙ୍କ ମଣ୍ଡପ ପଛ ପଟେ ରଖାଯାଇଥିଲା । ଦୁର୍ବୁତ୍ତମାନେ ମଣ୍ଡପ ଉପରେ ଚଢ଼ି ଏହାକୁ ନେଇ ଯାଇଥିବାରୁ ଜଗନ୍ନାଥ ମହାପ୍ରଭୁ ଅପବିତ୍ର ହୋଇଥିବା କଥା ପୁଜକ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏହାପରେ ମନ୍ଦିରର ନୀତି ମୁତାବକ ମାର୍ଜନା କରାଯାଇ ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏପଟେ ସୁକିନ୍ଦା ପୁଲିସ ଘଟଣାର ତଦନ୍ତ କରି ଚୋରମାନଙ୍କୁ ଯଥାଶୀଘ୍ର ଧରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର