ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍କେସିଜି ବଡ଼ ଡାକ୍ତରଖାନା। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା ଏହି ଡାକ୍ତରଖାନା କିଛି ଲୋକଙ୍କ ପାଇଁ ବେଆଇନ ରୋଜଗାରର ପନ୍ଥା ପାଲଟିଛି। କିଏ ରୋଗୀ ଚାଲାଣ କରୁଛି ତ ଆଉ କିଏ ଚିକିତ୍ସା ନାଁରେ ରୋଗୀଙ୍କୁ ଶୋଷଣ କରୁଛି। ତେବେ ରୋଗୀଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ବହୁ ମୂଲ୍ୟବାନ ମାଗଣା ଔଷଧ, ଇଂଜେକସନ୍ ଚାଲାଣ କରି ମାଲାମାଲ୍ ହେଉଛନ୍ତି ବିଭାଗୀୟ କର୍ମଚାରୀ ଓ ବାହାର ଦଲାଲ୍ ସଂପୃକ୍ତ ଥିବା ଏକ ରାକେଟ୍। ଏଭଳି କାରବାର ପଛରେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ହାତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏମ୍କେସିଜିରୁ ନିରନ୍ତର ବ୍ୟବଧାନରେ ଔଷଧ ଚାଲାଣ ହେଉଛି। ଏହି କାରବାର ଧରାପଡ଼ିଲେ ଘଟଣା ପଦାକୁ ଆସୁଛି, ନହେଲେ କେହି କିଛି ଜାଣିପାରୁ ନାହାନ୍ତି।
ଗତ ବର୍ଷ ନଭେମ୍ବର ୧୬ରେ ଏମ୍କେସିଜି ବଡ଼ ଡାକ୍ତରଖାନା ସେଣ୍ଟ୍ରାଲ୍ ଗୋଦାମରୁ ରୀତିମତ ସରକାରୀ ଔଷଧ, ଇଂଜେକସନ୍ ଲୁଟ୍ ଚାଲିଥିବା ଓ ଏହା ପଛରେ ଏକ ବିଶାଳ ରାକେଟ୍ କାମ କରୁଥିବା ସୁରାକ୍ ମିଳିଥିଲା। ସେ ସମୟରେ ଜଣେ ଆଟେଣ୍ଡାଣ୍ଟ୍ ସର୍ଜରି ୱାର୍ଡ଼ରୁ ଔଷଧ, ଇଂଜେକସନ୍ ଚୋରି କରୁଥିବା ସିସିଟିଭି ଫୁଟେଜ୍ରୁ ଧରା ପଡ଼ିବା ପରେ ଏହି ରାକେଟ୍ର ଭୂମିକା ପଦାକୁ ଆସିଥିଲା। ଏବେ ପୁଣି ବିପୁଳ ପରିମାଣ ଇଂଜେକ୍ସନ୍ ପୁରୁଣା ଇନ୍ଡୋର୍ କୋଠାରୁ ଜବତ ହୋଇଛି। ଯାହାକି ବାହାରକୁ ଚାଲାଣ କରିବା ପାଇଁ ରଖା ଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ଗତବର୍ଷ ନଭେମ୍ବର ଘଟଣା ନଜରକୁ ଆସିବା ପରେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ନାଁକୁ ମାତ୍ର ତଦନ୍ତ କରି ଘଟଣାକୁ ଚାପି ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ପ୍ରତ୍ୟହ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଓ ଇଂଜେକସନ୍ ଚୋରା ଚାଲାଣକୁ ଜାଣିଣୁଣି ବାଟ ଖୋଲି ଦିଆଯାଇଛି ଏବଂ ଅସଲ ଅଭିଯୁକ୍ତ ଖସି ଯାଉଛନ୍ତି।
ରୋଗୀଙ୍କ ପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ ଓଏସ୍ଏମ୍ସି (ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍)ରୁ ମାଗଣା ଔଷଧ ଆସିଥାଏ। ଏହି ଔଷଧ ରଖିବା ପାଇଁ ଏମ୍କେସିଜି ପରିସରରେ ସ୍ବତନ୍ତ୍ର ଭାବେ ଡ୍ରଗ୍ ହାଉସ୍ ରହିଛି। ସେହିପରି ଯେଉଁ ଔଷଧ ସରକାରୀଙ୍କ ତରଫରୁ ଯୋଗାଣ ହୋଇ ନଥାଏ, ତାହା ମେଡିକାଲ କର୍ତ୍ତୃପକ୍ଷ ଘରୋଇ ସଂସ୍ଥାରୁ କ୍ରୟ କରିଥାନ୍ତି। ଗତ କିଛିଦିନ ତଳେ ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ ଏକ ମୋବାଇଲ୍ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ଯାଞ୍ଚ କରୁଥିଲା। ଏହି ସମୟରେ ପୁରୁଣା ଇନ୍ଡୋର୍ କୋଠା ଶିଶୁ ବିଭାଗର ଏକ ଭଙ୍ଗା କୋଠରିରୁ ଏକ ବସ୍ତା ଜବତ କରିଥିଲା। ସେହି ବସ୍ତାରେ ୨୫ ପ୍ୟାକେଟ୍ ଇଂଜେକ୍ସନ୍ ଥିବା ଜଣାପଡ଼ିଥିଲା।
ସେହି ଇଂଜେକ୍ସନ୍ ଆଣ୍ଟିବାୟୋଟିକ୍ (ସେଫ୍ଟ୍ରିଆକ୍ସଜୋନ୍ ଆଣ୍ଡ୍ ସଲ୍ବାକ୍ଟମ୍) ବୋଲି ଜଣାପଡ଼ିଥିଲା। ତେବେ କିଏ ସେଠାରେ ଏତେ ପରିମାଣ ଇଂଜେକ୍ସନ୍ ରଖିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ଏହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହୋଇଥିବା ବେଳେ ତାହା ବଡ଼ ଡାକ୍ତରଖାନା ପାଇଁ ଘରୋଇ ସଂସ୍ଥାରୁ କ୍ରୟ କରାଯାଇଥିଲା। ଏହି ଇଂଜେକ୍ସନ୍ ରୋଗୀଙ୍କୁ ଦେବା ବଦଳରେ ସେଠାକୁ କେମିତି ଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଡ୍ରଗ୍ ହାଉସ୍ରୁ ଏତେ ପରିମାଣ ଔଷଧ ଗାଏବ ହୋଇଯାଉଛି, ଅଥଚ କର୍ମଚାରୀ କିଛି ଜାଣୁ ପାରୁ ନାହାନ୍ତି। ଯାହାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। ଯଦି ପୁଲିସ ଏହା ଜବତ କରି ନଥାନ୍ତା ତେବେ ସେହି ଔଷଧ ବିଭିନ୍ନ ଦୋକାନ ଓ କ୍ଲିନିକ୍କୁ ଚାଲାଣ ହୋଇଥାନ୍ତା।
ଗତବର୍ଷ ମଧ୍ୟ ଜଣେ ଆଟେଣ୍ଡାଣ୍ଟ୍ ସର୍ଜରି ବିଭାଗରୁ ଔଷଧ ଚୋରି କରି ନେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ସମ୍ପୃକ୍ତ ଆଟେଣ୍ଡାଣ୍ଟ୍ ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହି କାରବାର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଥିଲା, ଏହି ଔଷଧ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ଦିଗ ପ୍ରତି ଆଉ ତଦନ୍ତ ହେଲା ନାହିଁ। ଯାହା ଫଳରେ ଔଷଧ ଚାଲାଣ କାରବାର ଲୁଚି ଯାଇଥିଲା। ଏବେ ପୁଣିଥରେ ଏକ ବଡ଼ ଧରଣର ଔଷଧ ଚାଲାଣ କାରବାରକୁ ଠାବ କରିଛି ପୁଲିସ। ତେବେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଏ ଦିଗରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା।