କବାଟବନ୍ଧ: ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ମୁରାରୀପୁର ଗ୍ରାମର ଏକ ଶିକ୍ଷକ ଦମ୍ପତିଙ୍କ ଘରୁ କେହି ଦୁର୍ବୃତ୍ତ ନଗଦ ଏକଲକ୍ଷ ଟଙ୍କା ସମେତ ଦେଢ଼ଶହ ଗ୍ରାମ ଓଜନର ସୁନା ଗହଣା ଚୋରିକରି ନେଇଥିବା ଜେନାପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ମୁରାରୀପୁର ଗ୍ରାମର ଶିକ୍ଷକ ଦମ୍ପତି କୁଶାସନ ବେହେରା ଓ ତାଙ୍କ ପତ୍ନୀ ଚାରୁଲତା ବେହେରା ଆଜି ପୂର୍ବାହ୍ଣରେ ଘରେ ଦୁଇଟି ତାଲା ପକାଇ ସ୍କୁଲକୁ ଯାଇଥିଲେ। ସ୍କୁଲ୍ରୁ ଅପରାହ୍ଣ ୪ଟା ବେଳେ ଫେରି ଦେଖିବାରୁ ମୁଖ୍ୟ ଦ୍ବାରରେ ପଡ଼ିଥିବା ଦୁଇଟି ତାଲା ଭଙ୍ଗା ଯାଇଥିଲା।
ଗ୍ରିଲ୍ ଭିତରପଟୁ ବନ୍ଦ ରହିଥିଲା। ଗ୍ରିଲ୍ ଖୋଲି ଘର ଭିତରେ ପଶିବାରୁ ଘରର ଆଲମିରା ଓ ଏକ କାଠ ବାକ୍ସ ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଆଲମିରାରେ ଥିବା ନଗଦ ଏକଲକ୍ଷ ଟଙ୍କା ଓ ଦେଢ଼ଶହ ଗ୍ରାମର ସୁନା ଅଳଙ୍କାର ଚୋରି ହୋଇଯାଇଥିଲା। ଘରର ପଛପଟ କବାଟ ଖୋଲା ଥିଲା। ଏସଂପର୍କରେ ଶ୍ରୀ ବେହେରା ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ସଂଧ୍ୟାରେ ଜେନାପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/loots.jpg)