ରାଉରକେଲା/ନୂଆଗାଁ: ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ତହସିଲ କାର୍ଯ୍ୟାଳୟ ଖୋଲିବାକୁ ସରକାର ଘୋଷଣା କଲେ। ରାଜ୍ୟର ୩୧୪ ବ୍ଲକ୍‌ରେ ୩୧୭ଟି ତହସିଲ ରହିଛି। ଘୋଷଣା ମୁତାବକ ସୁନ୍ଦରଗଡ଼ ଜିଲ୍ଲାରେ ୨୦୦୯-୧୦ରେ ବିଶ୍ରା ଓ ଲାଠିକଟା ବ୍ଳକରେ ଦୁଇଟି ନୂଆ ତହସିଲ ଅଫିସ୍‌ ଖୋଲିଲା। ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକରେ ୧୮ ତହସିଲ ରହିଛି। ସୁନ୍ଦରଗଡ଼, ହେମଗିରି, ଲେଫ୍ରିପଡ଼ା, ବାଲିଶଙ୍କରା, ରାଜଗାଙ୍ଗପୁର, ବୀରମିତ୍ରପୁର, କୁଆରମୁଣ୍ଡା, ରାଉରକେଲା, ବଣାଇ, ଟାଙ୍ଗରପାଲି, ସବ୍‌ଡେଗା, ବଡଗାଁ, କୁତ୍ରା, ଲାଠିକଟା, ବିଶ୍ରା, କୋଇଡା, ଗୁରୁଣ୍ଡିଆ, ଲହୁଣିପଡ଼ାରେ ବ୍ଲକରେ ଗୋଟିଏ ଲେଖାଏଁ ତହସିଲ କାର୍ଯ୍ୟାଳୟ ରହିଛି। ଏପରିକି କୁଆରମୁଣ୍ଡା ବ୍ଲକରେ ବୀରମିତ୍ରପୁର ଓ କୁଆରମୁଣ୍ଡା ଦୁଇଟି ତହସିଲ ରହିଛି। ହେଲେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନୂଆଗାଁ ବ୍ଲକକୁ ସରକାର ଭୁଲି ଯାଇଛନ୍ତି। ଲାଠିକଟା ଓ ବିଶ୍ରା ଦୁଇଟି ତହସିଲ କାର୍ଯ୍ୟାଳୟ ଖୋଲିବାକୁ ଇତି ମଧ୍ୟରେ ୧୩ ବର୍ଷ ବିତିଯାଇଛି। କିନ୍ତୁ ନୂଆଗାଁ ବ୍ଲକରେ ତହସିଲ କାର୍ଯ୍ୟାଳୟ ‌ଖୋଲିବାକୁ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Advertisment

ବର୍ଷ ବର୍ଷ ଧରି ନୂଆଗାଁ ବ୍ଲକର ପ୍ରାୟ ଲକ୍ଷାଧିକ ଲୋକ ୪୦ କିଲୋମିଟର୍ ଦୂର ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଜମିଜମା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ୪୦ କିଲୋମିଟର ଯିବାକୁ ଯେତିକି ବାଧୁନି, କାମଗୁଡ଼ିକ ଠିକ୍‌ ସମୟରେ ନ ହେବା ତା’ଠୁ ଅଧିକ ଯନ୍ତ୍ରଣା ଦେଉଛି। ବେଶି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗରିବ ଖଟିଖିଆ ଲୋକ। ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ମାସମାସ ସମୟ ଗଡ଼ାଉଛନ୍ତି। ‌ଶେଷରେ ସେମାନଙ୍କୁ କାମ ହୋଇପାରିବ ନାହିଁ ବୋଲି କହି ଫେରାଇ ମଧ୍ୟ ଦେଉଛନ୍ତି। ଉଚ୍ଚ ଶିକ୍ଷା ହେଉ ବା ଅନ୍ୟାନ୍ୟ ନାମ‌ ଲେଖା ସମୟରେ ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବହୁ ଅସୁବିଧା ଭୋଗୁଛନ୍ତି।

ହେଲେ ଲୋକଙ୍କ ଅଭିଯୋଗକୁ ସରକାର, ସ୍ଥାନୀୟ ପ୍ରଶାସନ ବା ରାଜନୈତିକ ଦଳ କେହି ଗୁରୁତ୍ବ ଦେଉନାହାନ୍ତି। ସ୍ଥାନୀୟ ଜନପ୍ରତିନିଧି ଯେମିତି ବ୍ଲକର ଏହି ପ୍ରମୁଖ ସମସ୍ୟାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ନୂଆଗାଁ ବ୍ଲକରେ ୨୦ଟି ପଞ୍ଚାୟତ ରହିଛି। ନୂଆଗାଁ, ସୋରଡା, ହାତୀବାରି ଓ ଖୁଣ୍ଟଗାଁ ଆଦି ଚାରିଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ଅବଶିଷ୍ଟ ୩ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନୂଆଗାଁ ଆଖାପାଖ ଓ ବୀରମିତ୍ରପୁରରେ ରହିଛି। ବୀରମିତ୍ରପୁର ଅଞ୍ଚଳରେ ଯେତିକି ଜମି କିଣାବିକା ହେଉଛି, ତା’ର ୬୦% କେବଳ ନୂଆଗାଁ ବ୍ଲକରେ ହେଉଛି। ଅନ୍ୟାନ୍ୟ କାମ ୬୫%ରୁ ଅଧିକ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, କୁଆରମୁଣ୍ଡା ବ୍ଲକରେ କୁଆରମୁଣ୍ଡା ଓ ବୀରମିତ୍ରପୁର ଦୁଇଟି ତହସିଲ କାର୍ଯ୍ୟାଳୟ ଥିବା ସତ୍ତ୍ବେ ନୂଆଗାଁକୁ ଗୁରୁତ୍ବ ଦିଆଯାଉ ନାହିଁ। ଉଲ୍ଲେଖଯୋଗ୍ୟ, ୧୯୮୨ରେ ବୀରମତ୍ରପୁର ତହସିଲ କାର୍ଯ୍ୟାଳୟ ଖୋଲିଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୧ ବର୍ଷ ଧରି ନୂଆଗାଁ ବାସିନ୍ଦା ବୀମରିତ୍ରପୁର ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭର କରି ଆସୁଛନ୍ତି। କେବଳ ଏତିକି ନୁହେଁ ଗତ ପ୍ରାୟ ଦୁଇ ବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ ହେଁ, କୌଣସି ସୁଫଳ ମିଳି ନାହିଁ।