ଜିଲ୍ଲାରେ ୧୯ ପଞ୍ଚାୟତରେ ମରୁଡ଼ି ଆଶଙ୍କା

ଖୋର୍ଦ୍ଧା: ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ଆରମ୍ଭ ହେଲାଣି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ନିଅଂଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ଦିନ ଧରି କୃଷି ବିଭାଗ ମରୁଡ଼ି ସମ୍ଭାବନାକୁ ଏଡ଼ାଇ ଆସୁଥିଲା, ବର୍ତମାନ ୧୯ଟି ପଂଚାୟତରେ ମରୁଡ଼ି ଆଶଙ୍କା ରହିଥିବା ସ୍ୱୀକାର କରିଛି ।

ଅପ୍ରିଲ୍ ମାସ ଠାରୁ ଖରିଫ ଋତୁ ପାଇଁ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ମଇ ମାସର ଦ୍ୱିତୀୟାର୍ଦ୍ଧରେ ସାଧାରଣତଃ ବୁଣାବୁଣି କରାଯାଏ । କିନ୍ତୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ମୌସୁମୀ ଠିକଣା ସମୟରେ ଆସିଥିଲେ ସୁଦ୍ଧା ଅପ୍ରିଲ୍, ମଇ, ଜୁନ୍, ଜୁଲାଇ ଓ ଅଗଷ୍ଟ କ୍ରମାଗତ ୫ ମାସରେ ବର୍ଷା ନିଅଂଟିଆ ରହିଛି । ଚଳିତ ବର୍ଷ ଜୁନ୍ ମାସରେ କୃଷି ବିଭାଗର ସମୀକ୍ଷାରେ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧା ବ୍ଲକରେ ନିଅଂଟିଆ ବର୍ଷା ଥିବା କୁହାଯାଇଥିଲା । କିନ୍ତୁ ଜୁଲାଇ ପହିଲାରେ ବେଗୁନିଆ ଓ ଖୋର୍ଦ୍ଧାରେ ବର୍ଷା ହୋଇଥିବା ବେଳେ ଚିଲିକାରେ ନିଅଂଟିଆ ରହିଥିଲା । ବର୍ତମାନ ଅଗଷ୍ଟ ମାସ ଶେଷ ବେଳକୁ ୫ଟି ବ୍ଲକର ୧୯ଟି ପଂଚାୟତର ୨୯ଟି ଗାଁରେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି । ଏହି ପଂଚାୟତଗୁଡ଼ିକରେ ବର୍ଷା ଆଧାରରେ ଜମିଗୁଡ଼ିକ ତ ସ୍ୱାଭାବିକ ଭାବେ ଶୁଖିଯାଇଛି, କିନ୍ତୁ କେନାଲ୍ ନିକଟବର୍ତୀ ଚାଷ ଜମିରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । ଉଭୟ କେନାଲ୍ ଓ ଚାଷ ଜମି ଜଳ ଅଭାବରୁ ଶୁଖିଲା ପଡ଼ିଛି ।

ଏନେଇ ଜିଲ୍ଲା କୃଷି ବିଭାଗର ଡେପୁଟି ଡାଇରେକ୍ଟର ଗଣେଶ୍ୱର ଦାସଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଟାଙ୍ଗୀ, ଖୋର୍ଦ୍ଧା, ବେଗୁନିଆ, ବାଣପୁର ଓ ଚିଲିକାରେ ବର୍ଷା ନିଅଂଟିଆ ରହିଛି । ତେବେ ଏହି ନିଅଂଟ ପରିମାଣ ସମସ୍ତ ବ୍ଲକରେ ସମାନ ନୁହେଁ । ଟାଙ୍ଗୀରେ ସ୍ୱାଭାବିକ ଠାରୁ ୧୯ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଚିଲିକାରେ ସ୍ୱାଭାବିକ ଠାରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି । କେବଳ ଏହାନୁହେଁ ଗୋଟିଏ ଗାଁରେ ବର୍ଷା ହୋଇଥିବା ବେଳେ ନିକଟସ୍ଥ ଆଉ ଏକ ଗାଁରେ ବର୍ଷା ପରିମାଣ କମିଛି । ଏଭଳି ଅସ୍ୱାଭାବିକ ବର୍ଷା ଯୋଗୁଁ ୨୪ ତାରିଖ ସୁଦ୍ଧା ୫୦୯ ହେକ୍ଟର ଜମିରେ ତଳି ନଷ୍ଟ ହେବା ସମ୍ଭାବନା ଦେଖା ଦେଇଥିବା ବେଳେ ୨୨୮ ହେକ୍ଟର ଜମିରେ ବର୍ଷା ଅଭାବରୁ ବେଉଷଣ ଅଟକି ଯାଇଛି । ତେବେ ସେପ୍ଟମ୍ବର ପ୍ରଥମ ସପ୍ତାହ ମଧ୍ୟରେ ବର୍ଷା ପରିମାଣ ବୃଦ୍ଧି ନଘଟିବ ତେବେ ଏହି ଅଂଚଳଗୁଡ଼ିକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଅଧିକ ରହିଛି ।

ସମ୍ବନ୍ଧିତ ଖବର