ଡାକ୍ତରଶୂନ୍ୟ ତିନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ବ୍ଲକ୍‌ର ତିନିଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଲୋକେ ସାମାନ୍ୟ ଥଣ୍ଡା‌ଜ୍ବର ହେଲେ ଚିକିତ୍ସା ସେବା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବ୍ଲକ୍‌ର ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭଗାମୁଣ୍ଡାରେ ଦ୍ୱିତୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରେବଣାପଳାଶପାଳ, କଳାପାଟ, ପିଠାଗୋଳା, ଜଂଘିରା ଓ ବକ୍ସିବାରିଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଜଂଘିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିଏମ୍‌ଏଫ୍‌ରୁ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ଏଠାରେ ଜଣେ ଆୟୁଷ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଅଛନ୍ତି। ରେବଣାପଳାଶପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ପିପିପି ମୋଡରେ ଚାଲିଥିବାରୁ ଏଠାରେ ମଧ୍ୟ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି। କିନ୍ତୁ ବକ୍ସିବାରିଗାଁ, ପିଠାଗୋଳା ଓ କଳାପାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷବର୍ଷ ଧରି ଡାକ୍ତର ନାହାନ୍ତି। ବକ୍ସିବାରିଗାଁ ଓ ପିଠାଗୋଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଆୟୁଷ ଡାକ୍ତର ଥିବାବେଳେ ଏମବିବିଏସ୍‌ ଡାକ୍ତର ନାହାନ୍ତି।

ସେହିପରି କଳାପାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଦୌ ଡାକ୍ତର ନାହାନ୍ତି। ଡାକ୍ତରଖାନା ପରିଚାଳନା ପାଇଁ ଡିଏମ୍‌ଏଫ୍‌ରୁ ଜଣେ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ୩ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋକେ ହଇରାଣ ହେଉଛନ୍ତି।

ବିଶେଷ କରି କଳାପାଟ ଓ ପିଠାଗୋଳା ଅଞ୍ଚଳର ରୋଗୀମାନ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏହି ଦୁଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପିଠାଗୋଳା, ଜିରାଙ୍ଗ, ବଡ଼ପଳାଶପାଳ ଓ ଭଅଁରପୁର ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ନିର୍ଭର କରୁଥିଲେ। ତେଣୁ ବକ୍ସିବାରିଗାଁ, ପିଠାଗୋଳା ଓ କଳାପାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି ଦେବାକୁ ସ୍ଥାନୀୟ ଲୋକ‌େ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର