ରାଉରକେଲା: ଶ୍ରାବଣରେ ଉଭାନ ହୋଇଛି ବର୍ଷା। ପ୍ରତିକୂଳ ପାଗ ସୁନ୍ଦରଗଡ଼ ଜିଲ୍ଲାରଚାଷୀଙ୍କ ଚିନ୍ତା ବଢ଼ାଇଛି। ବର୍ଷାକୁ ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି ଚାଷୀ। କାରଣ ଗତବର୍ଷ ଜୁନ୍‌ ସୁଦ୍ଧା ଜିଲ୍ଲାରେ ଯେତିକି ଧାନ ଓ ଅଣଧାନ ଚାଷ ହୋଇଥିଲା, ଏଥର ତା’ର ୫୦% କମ୍‌ ଚାଷ ହୋଇଛି। ଗତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ଜିଲ୍ଲାରେ ପ୍ରାୟ ୩୨ ହଜାର ହେକ୍ଟର ଜମିରେ ଉଭୟ ଧାନ ଓ ଅଣଧାନ ଚାଷ ‌ହୋଇସାରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୧୬ ହଜାର ୩୨୦ ହେକ୍ଟର ଜମିରେ ଚାଷ ହୋଇପାରିଛି। ଗତବର୍ଷ ଜୁନ୍‌ ସୁଦ୍ଧା ଅନୁକୂଳ ପାଗ ‌ଯୋଗୁ ଜିଲ୍ଲାରେ ୧୩ ହଜାର ୮୦୬ ହେକ୍ଟର ଜମିରେ ଧାନ ବୁଣା କାମ ସରିଥିଲା। ପାଣି ଅଭାବରୁ ଜିଲ୍ଲାରେ ଲଥର ୩୦% ଧାନ ବୁଣାଯାଇ ପାରିନି। ବର୍ଷା ହେଲେ ତଳି ପଡ଼ିବ, ନ ହେଲେ ବିହନ ଅଭାବରୁ ଜିଲ୍ଲାର ଅଧିକାଂଶ ଚାଷ ଜମି ପଡ଼ିଆ ପଡ଼ିବାର ଆଶଙ୍କା ଦେଖାଦେଲାଣି।

Advertisment

କେବଳ ଧାନ ନୁହେଁ, ଅଣଧାନ ଚାଷ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜୁନ୍‌ରେ ସାଧାରଣତଃ ୨୩୭.୪ ମିଲିମିଟର ବର୍ଷା ହେବା କଥା। କିନ୍ତୁ ନୂଆଗାଁ ବ୍ଲକ୍‌ରେ ୧୪୬.୫୦ ମିଲିମିଟର, ବିଶ୍ରାରେ ୧୪୪.୫୦ ମିଲିମିଟର ବର୍ଷା ହୋଇଛି। ଲାଠିକଟା, କୁଆରମୁଣ୍ଡା, ଲହୁଣିପଡା, ବଣାଇ, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ସବ୍‌ଡେଗା, ବାଲିଶଙ୍କରା, ଟାଙ୍ଗରପାଲି, ଗୁରୁଣ୍ଡିଆ ଆଦି ବ୍ଲକ୍‌ରେ ମାତ୍ର ୪୦% ବର୍ଷା ହୋଇଛି। ଜୁଲାଇରେ ସାଧାରଣତଃ ୩୮୬.୪ ମିଲି ମିଟର ବର୍ଷା ହେବା କଥା। ପ୍ରଥମ ସପ୍ତାହ ଶେଷ ହେବାକୁ ବସିଲାଣି, ‌ହେଲେ ବର୍ଷାର ଦେଖା ନାହିଁ। ଲାଠିକଟା, କୁଆରମୁଣ୍ଡା ଓ ବିଶ୍ରା ବ୍ଲକରେ ଜୁଲାଇ ୫ ସୁଦ୍ଧା ମାତ୍ର ୨ ମିଲିମିଟର ଲେଖାଏଁ ବର୍ଷା ହୋଇଛି।

ଜିଲ୍ଲାରେ ସର୍ବାଧିକ ଚାଷ ହେଉଥିବା ନୂଆଗାଁ ବ୍ଲକରେ ଜୁଲାଇ ୫ ସୁଦ୍ଧା ବୁନ୍ଦାଏ ବର୍ଷା ମଧ୍ୟ ପଡ଼ିନି। ଗତ ୨୦୨୨ ଜୁଲାଇ ୫ ସୁଦ୍ଧା ଲାଠିକଟା ବ୍ଲକରେ ୮୧ ମିଲିମିଟର, କୁଆରମୁଣ୍ଡାରେ ୧୬୪.୪୦ ମିଲିମିଟର, ନୂଆଗାଁରେ ୭୪.୮୦ ମିଲିମିଟର ଓ ବିଶ୍ରା ବ୍ଲକରେ ୬୫.୯୦ ମିଲିମିଟର ବର୍ଷା ହୋଇଥିଲା। ଅନୁକୂଳ ପାଗ ଯୋଗୁ ଗତବର୍ଷ (୨୦୨୨) ଜୁଲାଇ ୫ ସୁଦ୍ଧା ଲାଠିକଟା ବ୍ଲକରେ ୨, ୨୮୩ ହେକ୍ଟର, କୁଆରମୁଣ୍ଡାରେ ୨, ୧୯୪ ହେକ୍ଟର, ନୂଆଗାଁରେ ୪, ୪୨୯ ହେକ୍ଟର, ବିଶ୍ରା ବ୍ଲକରେ ୧୫୪ ହେକ୍ଟର, ଏମିତି ମୋଟ ୯୦୬୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଚଳିତ ମାସ ଜୁଲାଇ ୫ ସୁଦ୍ଧା ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି। ଏବେ ସୁଦ୍ଧା ଲାଠିକଟାରେ ମାତ୍ର ୧୫ ହେକ୍ଟର ଜମିରେ ଧାନ ଚାଷ ହୋଇଛି। କୁଆରମୁଣ୍ଡାରେ ୧୨୦ ହେକ୍ଟର, ନୂଆଗାଁ ୩୦ ହେକ୍ଟର, ବିଶ୍ରାରେ ୪୫ ହେକ୍ଟର ଜମିରେ ଏମିତି ମୋଟ ୪ଟି ବ୍ଲକରେ ୨୧୦ ହେକ୍ଟର ଜମିରେ ଧାନ ଚାଷ ହୋଇପାରିଛି। କେବଳ ଧାନ ଚାଷ ନୁହେଁ ଜିଲ୍ଲାରେ ଅଣଧାନ ଚାଷ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ପନିପରିବା ଚାଷ ଯେତିକି ହେବା କଥା, ତା’ର ୩୦% ମଧ୍ୟ ‌ହୋଇପାରିନି। ଯଦି ଏଭଳି ସ୍ଥିତି ଆଉ ୧୫ ଦିନ ଜାରି ରହେ, ଜିଲ୍ଳାର ମରୁଡ଼ି ସମସ୍ୟା ଉପୁଜିବ। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ୨ ଲକ୍ଷ ୧୨ ହଜାର ଧାନ ଓ ୧ ଲକ୍ଷ ୧ ହଜାର ଅଣଧାନ ଚାଷ ଜମି ରହିଛି।