ଖୋଜିଲେ ମିଳୁନି ରାସ୍ତା:୨୫୦ଜଣ ଲୋକ ହସ୍ତସନ୍ତ

ନାଉଗାଁ: ନାଉଗାଁ ବ୍ଳକରେ ଏପରି ରାସ୍ତା ରହିଛି ଯେଉଁଥିରେ ଗତ ୨୦ବର୍ଷ ଭିତରେ ମାଟି ମୁଠାଏ ପଡିନାହିଁ। ଯାହା ଫଳରେ ଜନସାଧାରଣ ଯାତାୟତ କରିବାରେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ନାଉଗାଁ ବ୍ଳକର ଗୋଠଦା ରାଜସ୍ୱ ଗ୍ରାମର ଇଚ୍ଛାପୁର ପଡ଼ାଗ୍ରାମରେ ୪୦ରୁ ଅଧିକ ପରିବାରର ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ରାଜସ୍ୱ ଗ୍ରାମରୁ ଉକ୍ତ ପଡ଼ା ଗ୍ରାମଟି ଦେଢ କିଲୋମିଟର ଦୂରରେ ଅବସ୍ଥିତ। ଏହି ଦୁଇ ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ୧୯୭୦ ମସିହାରେ ନିର୍ମାଣ କରାଯଇାଥିଲା। ଏହାପରେ ଥରେ ଅଧେ ଏହି ରାସ୍ତାଟି ମରାମତି କରାଯାଇଥିବା ବେଳେ ଗତ ୨୦ବର୍ଷରୁ ଅଧିକ ସମୟ ଧରି ରାସ୍ତାରେ ମାଟି ମୁଠାଏ କେହି ପକାଇ ନାହିଁ। ଯାହାଫଳରେ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ। ବର୍ତମାନ ରାସ୍ତାଟି ବେଣା, ଘାସ ଓ ବଡ଼ ବଡ଼ ଖାଲରେ ଭର୍ତି ହୋଇଛି। ଯାହାଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ପଡ଼ାଗ୍ରାମରେ ବର୍ତ୍ତମାନ ୧୦ଜଣରୁ ଅଧିକ ସାନ ପିଲା ଓ ଗର୍ଭବତୀ ମହିଳା ରହୁଛନ୍ତି।

ଏହି ପିଲା ଓ ମହିଳାମାନେ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ପ୍ରଦତ୍ତ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ରାଜସ୍ୱ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଥିବାରୁ ସେଠାକୁ ଛୋଟ ପିଲାମାନେ ଯିବା ସମ୍ଭବ ହେଉନାହିଁ। ସେହିପରି ପ୍ରସୂତୀ ଓ ଗର୍ଭବତୀ ମହିଳାମାନେ ମଧ୍ୟ ଉପଯୁକ୍ତ ସେବା ପାଇ ପାରୁନାହନ୍ତି। ରାଜସ୍ୱ ଗ୍ରାମକୁ ଭଲ ରାସ୍ତାରେ ଯିବାକୁ ହେଲେ ପଡ଼ାବାସୀ ବାଂଶ ଓ ନାଉଗାଁ ବଜାର ଦେଇ ୬ କିଲୋମିଟର ବାଟ ବୁଲିକି ଯାଉଛନ୍ତି। ସେହି କାରଣରୁ ଅଙ୍ଗନବାଡ଼ିରେ ମିଳୁଥିବା ପିଲାଙ୍କ ଖାଦ୍ୟ ଓ ଗର୍ଭବତୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ଏଠାକାର ଲୋକଙ୍କ ପାଇଁ ଅପହଞ୍ଚ। ଉକ୍ତ ଦେଢ କିଲୋମିଟର ବାଟକୁ ମରାମତି କରାଗଲେ କେବଳ ଇଚ୍ଛାପୁର ନୁହେଁ, ନରଣପୁର, ତେଣ୍ଟୋଇ, କୁରିକି ଓ ବନ୍ଧମୁଣ୍ଡା ଆଦି ଗ୍ରାମର ଜନସାଧରାଣ ତହସିଲ, ବ୍ଳକ ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଦିକୁ ସହଜରେ ଯାଇ ପାରନ୍ତେ।

କିନ୍ତୁ ପଞ୍ଚାୟତକୁ ଯେତବେଳେ ରାସ୍ତା ମରାମତି ପାଇଁ ପୋଜେକ୍ଟ ଯାଇଛି ସେତବେଲେ ରାଜସ୍ୱ ଗ୍ରାମରେ ଅଧିକ ଲୋକ ଥିବାରୁ ଉକ୍ତ ଗ୍ରାମର ରାସ୍ତା ମରାମତିକୁ ସବୁବେଳେ ଗୁରୁତ୍ୱ ଦିଆଯାଉଥିବା ପଡ଼ାବାସୀ କହିଛନ୍ତି। ପଡ଼ାରେ କମ୍‌ସଂଖ୍ୟକ ଲୋକ ଥିବାରୁ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି। କେବଳ ରାସ୍ତା ନୁହେଁ, ଅଙ୍ଗନବାଡ଼ି ଖାଦ୍ୟ ପିଲା ପାଉନଥିବା ବେଳେ ଗାଁ କଲ୍ୟାଣ ସମିତିର କୌଣସି ବି କାର୍ଯ୍ୟ ଏହି ପଡ଼ାରେ କରାଯାଉନାହିଁ। ବାରମ୍ବାର ସରକାରୀ କାର୍ଯ୍ୟକ୍ରମରୁ ଅଣଦେଖା କରାଯାଉଥିବାରୁ ଏହାକୁ ନେଇ ଇଚ୍ଛାପୁର ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ପଡ଼ାଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ମରାମତି କରାନଗଲେ ସେମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବିଷ୍ଣୁ ରାୟ, କୃଷ୍ଣ ରାୟ, କୈଳାସ ବିଶ୍ୱାଳ, ଦ୍ୱିଜ ବିଶ୍ୱାଳ, ଉମେଶ ବିଶ୍ୱାଳ, ଚାରୁଲତା ବିଶ୍ୱାଳ, ଦେବେନ୍ଦ୍ର ତ୍ରିପାଠୀ, ବାଉରୀବନ୍ଧୁ ତ୍ରିପାଠୀ, ଦିଲ୍ଲୀପ ରାୟ, ଆଶିଷ ରାୟ, ବାବଜୀ ଦାସ, ନରେନ୍ଦ୍ର ଦାସ ଓ ଭବାନୀ ଶଙ୍କର ଦାସ ଆଦି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର