ଫୁଲବାଣୀ: ଆତ୍ମନିର୍ଭରଶୀଳ ହେବା ଏବଂ ବେକାରୀ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ଗତ ୨୦୦୮ ମସିହାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଏମ୍ପ୍ଲୟମେଣ୍ଟ ଜେନେରେସନ୍‌ ପ୍ରୋଗ୍ରାମ୍‌(ପିଏମ୍‌ଇଜିପି) ଶିଳ୍ପ ଯୋଜନା। ଏହି ଯୋଜନାରେ କନ୍ଧମାଳ ଜିଲ୍ଲାରୁ ଗତ ୫ ବର୍ଷ ମଧ୍ୟରେ ୩୪୫ ହିତାଧିକାରୀ ସବ୍‌ସିଡି ହାରରେ ଋଣ ନେଇ ନିଜର କ୍ଷୁଦ୍ରଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରି ଉପକୃତ ହୋଇ ସାରିଲେଣି। ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ପରିଚାଳିତ ଏହି ଶିଳ୍ପ ଯୋଜନାରେ ଗତ ୫ ବର୍ଷରେ ଏହି ୩୪୫ ଜଣ ହିତାଧିକାରୀ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାନ କରି ସରକାରଙ୍କ ଠାରୁ ୭ କୋଟି ୧୧ ଲକ୍ଷ ୩୬ ହଜାର ଟଙ୍କାର ସବ୍‌ସିଡି ଫାଇଦା ଉଠାଇ ସାରିଲେଣି।

Advertisment

କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ କନ୍ଧମାଳ ଜିଲ୍ଲାରେ ୨୫ ଜଣ ହିତାଧିକାରୀ ଏହି ଯୋଜନା ଦ୍ବାରା ଉପକୃତ ହୋଇଥିବା ବେଳେ ସେମାନେ ମୋଟ ୬୦ ଲକ୍ଷ ଟଙ୍କାର ସବ୍‌ସିଡି ପାଇଛନ୍ତି। ସେହିଭଳି ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୮ ଜଣ ହିତାଧିକାରୀ ହିତାଧିକାରୀ ଏହି ‌ଯୋଜନାର ଲାଭ ଉଠାଇଥିବା ବେଳେ ସେମାନଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କାର ସବ୍‌ସିଡି ମିଳିପାରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୭୦ ଜଣ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇଥିବା ବେଳେ ସେମାନେ ମୋଟ ୧ କୋଟି ୨୨ ଲକ୍ଷ ଟଙ୍କାର ସବସିଡ୍‌ ପ୍ରାପ୍ତ ହୋଇପାରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୭୮ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଥିବାବେଳେ ୧ କୋଟି ୩୬ ହଜାର ଟଙ୍କାର ସବ୍‌ସିଡି ପ୍ରାପ୍ତ ହୋଇଛନ୍ତି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ମୋଟ ୧୦୪ ଜଣ ହିତାଧିକାରୀ ଉପକୃତ ହେବାକୁ ଯୋଜନା ରହିଥିବା ବେଳେ ସେମାନଙ୍କୁ ସବ୍‌ସିଡି ବାବଦରେ ୩ କୋଟି ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ବିଭୂପ୍ରିୟା ଶକ୍ତିସୁଧା ଜେନା ସୂଚନା ଦେଇଛନ୍ତି।

କନ୍ଧମାଳରେ ୫ ବର୍ଷରେ ପିଏମ୍‌ଇଜିପିରେ ଉପକୃତ ହେଲେଣି ୩୪୫
୭.୧୧ କୋଟି ଟଙ୍କା ସବ୍‌ସିଡି ଫାଇଦା ମିଳିଛି

ସୂଚନାଯୋଗ୍ୟ, ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକ, ଯୁବତୀମାନଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ଏହି ଯୋଜନା ଲାଗୁ ହୋଇଥିଲା। ଏହି ଯୋଜନାରେ ବ୍ୟକ୍ତିଗତ ଭାବେ ଯୁବକ, ଯୁବତୀଙ୍କୁ ଋଣ ପ୍ରଦାନ କରାଯାଇଥାଏ। ଏଥିରେ ସରକାର ଗ୍ରାମାଞ୍ଚଳର ଯୁବକ, ଯୁବତୀଙ୍କ ପାଇଁ ୩୫ ପ୍ରତିଶତ ସବ୍‌ସିଡି ପ୍ରଦାନ କରୁଥିବା ବେଳେ ସହରାଞ୍ଚଳର ଯୁବକ, ଯୁବତୀଙ୍କ ପାଇଁ ୨୫ ପ୍ରତିଶତ ସବ୍‌ସିଡି ପ୍ରଦାନ କରିଥାନ୍ତି। କନ୍ଧମାଳ ଜିଲ୍ଲା ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏ ଜିଲ୍ଲାର ଏସ୍‌ସି/ଏସ୍‌ଟି ଯୁବକ ଯୁବତୀଙ୍କ ସମେତ ସାଧାରଣ ବର୍ଗର ଯୁବକ, ଯୁବତୀ ଏ ଋଣ ପାଇପାରୁଛନ୍ତି। ଏଥିରେ ହିତାଧିକାରୀ ନିଜସ୍ବ ୫ ପ୍ରତିଶତ ଅଂଶଧନ ବିନିଯୋଗ କରିଥାନ୍ତି।

ଉତ୍ପାଦନ ଭିତ୍ତିକ ଶିଳ୍ପ ପାଇଁ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଥିବା ବେଳେ ସେବା/ବ୍ୟାବସାୟିକ ଶିଳ୍ପ ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ବ୍ୟକ୍ତିଗତ ହିତାଧିକାରୀଙ୍କୁ ଋଣ ପ୍ରଦାନ କରା ଯାଇଥାଏ। କିନ୍ତୁ କୌଣସି ଗ୍ରୁପ୍‌ କିମ୍ବା ଏସ୍‌ଏଚ୍‌ଜିଙ୍କୁ ଦିଆଯାଇ ନଥାଏ। ଏହି ଯୋଜନାରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୧୨ ଦିନିଆ ଇଡିପି ଟ୍ରେନିଂ (ଉଦ୍ୟମିତା ବିକାଶ ତାଲିମ ପ୍ରଶିକ୍ଷଣ) ଦିଆ ଯାଇଥାଏ। କନ୍ଧମାଳ ଭଳି ଏକ ଆଦିବାସୀବହୁଳ ଜିଲ୍ଲାରେ ବିଗତ ୫ ବର୍ଷରେ ୩୪୫ ଜଣ ଯୁବକ, ଯୁବତୀ ଏହି ଯୋଜନାରେ ଉପକୃତ ହୋଇ ନିଜନିଜର ‌କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ଖୋଲି ପାରିଛନ୍ତି। ତେବେ କେତେକ କ୍ଷେତ୍ରରେ ଋଣ ନେବାରେ ଆଦିବାସୀ ଯୁବକ, ଯୁବତୀଙ୍କ ପାଇଁ ସମସ୍ୟା ଦେଖା ଦେଉଛି। ସେଥିପ୍ରତି ଜିଲ୍ଲା ଶିଳ୍ପ କେନ୍ଦ୍ର ଦୃଷ୍ଟି ଦେବାକୁ କେତେଜଣ ହିତାଧିକାରୀ କହିଛନ୍ତି।