କଟକ/ କେନ୍ଦ୍ରାପଡ଼ା/ ଜଗତସିଂହପୁର : ଅବିଭକ୍ତ କଟକ ଜିଲ୍ଲାରେ ବି ପରିସ୍ଥିତି ସଙ୍ଗୀନ। ଜମିରେ ପାଣି ନାହିଁ। ଚାଷୀମାନେ ଏବେ ଚିନ୍ତାରେ। କଟକ ଜିଲ୍ଲାରେ ୪୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବା ସରକାରୀ ରେକର୍ଡ କହୁଛି। ବର୍ଷା ଅଭାବରୁ ଚାଷ କାମ ଆରମ୍ଭ ହୋଇପାରୁନି। ଯେଉଁ କେତେକ ସ୍ଥାନରେ ଚାଷ ଆରମ୍ଭ ହୋଇଛି, ସେଠାରେ ଏବେ ତଳି ଘେରାରେ ପାଣି ନାହିଁ କି ଯେଉଁଠି ରୁଆ ହୋଇଛି ସେଠାରେ ବି ପାଣି ନାହିଁ। ତାଳଦଣ୍ଡା କେନାଲରୁ ଆରମ୍ଭ କରି ଜିଲ୍ଲାର ସବୁ କେନାଲ ଶୁଖିଲା ପଡିଛି। ଜୁଲାଇରେ ୩୦୮ ମିଲିମିଟର ବର୍ଷା ହେବା ବଦଳରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୭.୬୫ ପ୍ରତିଶତ ବର୍ଷା ହୋଇଥିବା ଜଣାପଡିଛି। ସେହିପରି ଜୁଲାଇରେ ଅର୍ଥାତ୍ ଶ୍ରାବଣରେ ବର୍ଷା ଲାଗିରହିବା ସହ ଚାଷୀ ଚାଷ କାମ ଜୋରଦାର କରିବା କଥା । କିନ୍ତୁ ଜୁଲାଇରେ ୨, ୩, ୯ତାରିଖରେ ଜିଲ୍ଲାରେ ଆଦୌ କୌଣସି ସ୍ଥାନରେ ବର୍ଷା ହୋଇନଥିବା ବେଳେ ନିଆଳିରେ ସବୁଠାରୁ କମ୍ ବୃଷ୍ଟିପାତ ହୋଇଥିବା ଜଣାପଡିଛି।
୨୦୨୩ରେ ୧ଲକ୍ଷ ୨୩ ହଜାର ୫୨୫ ହେକ୍ଟର ଜମିରେ ଧାନ ଚାଷ କରିବାକୁ କୃଷି ବିଭାଗ ଯୋଜନା କରିଛି। ମାତ୍ର ବର୍ତମାନ ସୁଦ୍ଧା ୨୦ ହଜାର ୩୬୧ ହେକ୍ଟର ଜମିରେ ବୁଣାବୁଣି କରାଯାଇଥିବା ବେଳେ ୪ହଜାର ୪୦୪ ହେକ୍ଟର ଜମିରେ ତଳି ପଡିଛି। ସେହିପରି ୨୫ଶହ ହେକ୍ଟର ଜମିରେ ଧାନ ରୁଆ କାମ ଶେଷ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯେତିକି ସ୍ଥାନରେ ଚାଷ କାମ ଆରମ୍ଭ ହୋଇଛି ସେଠାରେ ଏବେ ପାଣି ଅଭାବରୁ ଚାଷ ଉଜୁଡିବା ସ୍ଥିତିକୁ ଆସିଲାଣି। ଯଦି ଦିନେ ଦୁଇଦିନେ ଭିତରେ ବର୍ଷା ନହୁଏ ତାହେଲେ ଯେତିକି ଜମିରେ ରୁଆ ହୋଇଛି ତାହା ଉଜୁଡିବା ସ୍ଥିତିକୁ ଆସିଯାଇପାରେ ବୋଲି ଆଶଙ୍କା କରାଯାଉଛି।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଦାମ ଚରଣ ନାୟକ କହିଛନ୍ତି, ଜିଲ୍ଲାରେ ୧୫୭ ସମନ୍ବିତ କୃଷି ବ୍ୟବସ୍ଥା(ଆଇଏଫ୍ଏସ୍) ଗ୍ରୁପ୍ ଗଠନ କରାଯାଇଛି। ଯେଉଁଠି ମରୁଡି ଜନିତ ସ୍ଥିତି କାରଣରୁ ଧାନ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ସେଠାରେ ବିକଳ୍ପ ଫସଲ ପାଇଁ ଚାଷୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁନ୍ ମାସରେ ସ୍ବାଭାବିକଠାରୁ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି। ଲଗାତାର ଭାବେ ଗଲା ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁନ୍ ମାସରେ ଏଭଳି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।ସରକାରୀ ତଥ୍ୟ କହୁଛି, ଜୁନ୍ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାଭାବିକ ବର୍ଷା ପରିମାଣ ହେଉଛି ୨୦୮.୩ ମିଲିମିଟର୍। କିନ୍ତୁ ଚଳିତବର୍ଷ ରେକର୍ଡ ହେଇଛି ମାତ୍ର ୮୨.୯୪ ମିମି, ଯାହାକି ସ୍ବାଭାବିକ ପରିମାଣଠାରୁ ୧୨୫.୩୬ ମିମି କମ୍। ସର୍ବାଧିକ ବର୍ଷା ରାଜକନିକା ବ୍ଲକ୍ରେ ୧୫୪ ମିମି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ବର୍ଷିଛି ମାର୍ଶାଘାଇରେ ୩୭ ମିମି। ମୋଟାମୋଟି ଚଳିତ ଜୁନ୍ର ବ୍ଲକ୍ଵାରୀ ତଥ୍ୟ ଦେଖିଲେ କେନ୍ଦ୍ରାପଡ଼ାରେ ୮୯ ମିମି, ଡେରାବିଶରେ ୬୪ ମିମି, ମହାକାଳପଡ଼ାରେ ୫୧ ମିମି, ଗରଦପୁରରେ ୭୦ ମିମି, ପଟ୍ଟାମୁଣ୍ତାଇରେ ୮୦.୫୦ ମିମି, ଆଳିରେ ୯୨ ମିମି ବର୍ଷା ହେଇଥିବା ରେକର୍ଡ କରାଯାଇଛି।
୨୦୨୪ ଜୁନ୍ରେ ପାଖାପାଖି ୬୦ପ୍ରତିଶତ କମ୍ ବର୍ଷା ହୋଇଛି। ବର୍ଷାର ଏପ୍ରକାର ନିଅଣ୍ଟିଆ ସ୍ଥିତି ସିଧାସଳଖ ଧାନ ଚାଷ ଉପରେ ପଡ଼ିଛି। ଜିଲ୍ଲାରେ ଚାଷୀ ଏବେ ଅନେକ ସ୍ଥାନରେ ନିଜେ ମଟର ପମ୍ପ୍ରେ ପାଣି ମଡ଼ାଇ ଚାଷ ଜମିରେ ତଳି ବିହନ ବୁଣୁଛନ୍ତି। ଯେଉଁଠି ମଟର ପମ୍ପ୍ ସୁବିଧା ନାହିଁ, ସେମାନେ ବର୍ଷାକୁ ଅପେକ୍ଷା କରି ଏଯାଏ ତଳି ପକାଇ ନାହାନ୍ତି। ହଜାର ହଜାର ହେକ୍ଟର ଚାଷ ଜମି ଏବେବି ଶୁଖିଲା ପଡ଼ିଛି। ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡକ୍ଟର ତାପସ ର˚ଜନ ସାହୁ କହିଛନ୍ତି ଯେ ସାଧାରଣତଃ ଜୁଲାଇ ବା ଶ୍ରାବଣ ମାସ ବେଳକୁ ରୁଆପୋତା କାମ ଆରମ୍ଭ ହେଇଯାଇଥାଏ। ବର୍ଷା ଲାଗି ରହିଥାଏ। ମାତ୍ର ଏଥର ବର୍ଷା ଆଭବରୁ ଚାଷ କାମ ବହୁ ପରିମାଣରେ ପଛେଇ ଯାଇଛି। ତେଣୁ ଚାଷୀମାନେ ୧୬୦ ଓ ୧୪୦ଦିନରେ ଧାନ ଅମଳ ପାଇଁ ଯେଉଁ କିସମର ବିହନ ବ୍ୟବହାର କରିଥାନ୍ତି, ସେମାନଙ୍କୁ ବିହନ ପରିବର୍ତ୍ତନ କରିବା ପାଇଁ କୁହାଯାଇଛି।
ଜଗତସିଂହପୁର ଜିଲ୍ଲାରେ ଗଲା ଦେଢ ମାସ ଭିତରେ ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଛି। ଅନ୍ୟପଟେ ପ୍ରଶାସନର ଘୋଷଣା ଅନୁଯାୟୀ କେନାଲରେ ବି ପାଣି ନାହିଁ। ଏଭଳି ସ୍ଥିତିରେ ଜିଲ୍ଲାର ଚାଷୀ ଏବେ ସମସ୍ୟାରେ ପଡିଛନ୍ତି। ତାଳଦଣ୍ଡା କେନାଲରେ ଜିଲ୍ଲାର ୨୨,୮୨୫ ହେକ୍ଟର ଚାଷ ଜମି ଓ ମାଛଗାଁ କେନାଲ ଦ୍ବାରା ୩୪,୦୮୩ ହେକ୍ଟର୍ ଚାଷ ଜମି ଜଳସେଚନ କରାଯାଏ। ଏହି ଦୁଇଟି କେନାଲରୁ ଅନେକ ଛୋଟ ଛୋଟ ସବ୍-କେନାଲ ବାହାରିଛି। ପ୍ରତ୍ୟେକ ବର୍ଷ ଜୁଲାଇ ୧୫ରେ ଏହି ଦୁଇଟି କେନାଲରେ ପାଣି ଛଡ଼ାଯାଏ। ମାତ୍ର ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କେନାଲକୁ ସଫା କରାଯାଉ ନାହିଁ। ଆଜି ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସେ ପଚାରି ବୁଝିଥିଲେ। କେନାଲ ଗୁଡ଼ିକ ସଫେଇ କରାଯାଇ କେମିତି ନିର୍ଦ୍ଧାରିତ ସମୟରେ ଚାଷୀମାନଙ୍କ ପାଖରେ ପାଣି ପହଞ୍ଚିବ, ସେ ନେଇ ପଦକ୍ଷେପ ନିଆଯାଉଥିବା ବିଭାଗୀୟ ଅଧିକାରୀମାନେ ସଫେଇ ଦେଇଥିବା ଜଣାପଡ଼ିଛି। ଚଳିତ ଜୁଲାଇ ମାସର ବୃଷ୍ଟିପାତକୁ ଦୃଷ୍ଟିକୁ ନେଲେ ଗଲା ୧୦ ଦିନ ମଧ୍ୟରେ ମାତ୍ର ୬୦% ବୃଷ୍ଟିପାତ ହୋଇଛି। ଜିଲ୍ଲାରେ ୨୭୭.୦୩ ଏମ୍ଏମ୍ ବର୍ଷାର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୬୦.୭୫ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୮ଟି ଯାକ ବ୍ଲକ୍ରେ ଚାଷ କାର୍ଯ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏ ନେଇ ମହାନଦୀ ସାଉଥ୍ ଡିଭିଜନ ନିର୍ବାହୀ ଅଧିକାରୀ ରାଜେଶ ମହାନ୍ତି କୁହନ୍ତି ଯେ, କଟକରୁ ବିରିବାଟୀ ପର୍ଯ୍ୟନ୍ତ କେନାଲରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ କିଛି ସମସ୍ୟା ଥିଲା। ଗଡ଼ମା ନିକଟରେ ଚାଲିଥିବା ବ୍ରିଜ୍ କାମକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ସମସ୍ତ କାମ ଶେଷ କରାଯାଇ ଯଥାଶୀଘ୍ର କେନାଲରେ ପାଣି ଛାଡ଼ିବା ପାଇଁ ବନ୍ଦୋବସ୍ତ କରାଯିବ।