ବସରେ ଫେରୁଛନ୍ତି ଶହ ଶହ ଯାତ୍ରୀ; ହେଉନି ଥର୍ମାଲ ସ୍କ୍ରିନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା

ଜୟପୁର: ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ୧୨ଟି ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ଏଥିରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କାନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି କୁହାଯାଇଛି। ହେଲେ ଏଥିରେ ବସ୍ ଫେରନ୍ତାଙ୍କ ଉପରେ ନିରୀକ୍ଷଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାର ଜୟପୁରକୁ ଶହ ଶହ ଲୋକେ ପ୍ରତ୍ୟେକ ଦିନ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଆସି ବିଶାଖାପାଟଣା, ହାଇଦ୍ରାବାଦ, ବିଜୟୱାଡା, ରାଜମହେନ୍ଦ୍ରୀ, ରାୟପୁର, ଭୁବନେଶ୍ବର ଆଦି ସ୍ଥାନରୁ ଆସୁଥିବା ଦ୍ରୁତଗାମୀ ବସ ଗୁଡ଼ିକରେ ଜୟପୁର ଫେରୁଛନ୍ତି।

ତେବେ ଏସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଓ ରାପିଡ୍‌ କିଟ୍‌ରେ ପରୀକ୍ଷା କରାଯାଉନି। ସେଭଳି ଉପରୋକ୍ତ ରାଜ୍ୟ ଗୁଡ଼ିକରୁ ଫେରିଲେ ଗୃହ ସଂଗରୋଧରେ ୭ଦିନ ରହିବାକୁ ନିର୍ଦେଶନାମା ରାଜ୍ୟ ସରକାର ଜାରି କରିଛନ୍ତି। ପ୍ରତ୍ୟେକ ଦିନ ଶତାଧିକ ସଂଖ୍ୟକ ଯାତ୍ରୀ ଫେରୁଥିଲେ ହେଁ ଏମାନଙ୍କର ବିବରଣୀ ବି ପ୍ରଶାସନ ପକ୍ଷରୁ ରଖାଯାଉନି। ଏହି ସ୍ଥିତିରେ ନିର୍ଦେଶନାମା କେବଳ କାଗଜକଲମ ମଧ୍ୟରେ ସୀମିତ ରହିଛି। ଅନ୍ୟ ରାଜ୍ୟ ଗୁଡିକୁ ଯାଇ ଫେରୁଥିବା ସବୁ ଯାତ୍ରୀଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର